Site icon Awaj Media

ସ୍କୁଲ ବନ୍ଦ ପାଇଁ ନୋଟିସ : ବଢୁଛି ଅସନ୍ତୋଷ

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ସ୍କୁଲ ବନ୍ଦ ପାଇଁ ନୋଟିସ ଆସିବା ପରେ ଗ୍ରାମରେ ବଢ଼ିବାରେ ଲାଗିଛି ଅସନ୍ତୋଷ . ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜlମେଣ୍ଡି ପଞ୍ଚାୟତର କଳାକିଆରି ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହେବା ପରେ ଗ୍ରାମବାସୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି . ସରକାରୀ ନିଅମ ଅନୁସାରେ ସ୍କୁଲରେ ପିଲା ଥାଇ ମଧ୍ୟ ସ୍କୁଲ ଭାଙ୍ଗିବା ପାଇଁ ନୋଟିସ ଦିଆଯାଇଥିବା କଥା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି . କୁଜlମେଣ୍ଡି ପଞ୍ଚାୟତର କଳାକିଆରି ପ୍ରାଥମିକ ବିଦ୍ୟାଳୟରେ ସରକାରଙ୍କ ସର୍ବନିମ୍ନ ଉପସ୍ଥାନ ନିୟମ ଅନୁସାରେ ବିଦ୍ୟାଳୟରେ 30 ଜଣ ପିଲା ଅଛନ୍ତି କିନ୍ତୁ ଉକ୍ତ ବିଦ୍ୟାଳୟକୁ ବନ୍ଦ କରି କଳାକିଆରି ଠାରୁ ପାଞ୍ଚ କିମି ଦୂରରେ ଥିବା ଅନ୍ୟ ଏକ ବିଦ୍ୟାଳୟ ସହ ଏହାକୁ ମିଶାଇବା ପାଇଁ ଯୋଜନା ହୋଇଅଛି . ତେବେ ଉକ୍ତ ବିଦ୍ୟାଳୟରେ 25 ଜଣ ଛାତ୍ରଛାତ୍ରୀ ଥିବା ବେଳେ କଳାକିଆରି ବିଦ୍ୟାଳୟକୁ କାହିଁକି ବନ୍ଦ କରାଯାଉଛି ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି . ଦଶପଲ୍ଲା ବିଇଓ କାର୍ଯ୍ୟାଳୟର ଚିଠି ଅନୁଯାୟୀ କଳାକିଆରି ସ୍କୁଲରେ ନୂତନ ନାମ ଲେଖା ନକରିବା ପାଇଁ ନିର୍ଦ୍ଦେଶ ଆସିଅଛି . ଅଭିଭାବକ ମାନେ ଆଗାମୀ ଶିକ୍ଷାବର୍ଷ ପାଇଁ କଳାକିଆରି ସ୍କୁଲ ରେ ପିଲାମାନଙ୍କ ନାମ ନ ଲେଖାଇ ସେହି ଗ୍ରାମରୁ ୫ କିମି ଦୂର ରେ ଥିବା ବିଦ୍ୟାଳୟରେ ନାମ ଲେଖାଇବା ପାଇଁ କୁହାଯାଇଛି . ବିଇଓ କାର୍ଯ୍ୟାଳୟର ନିଷ୍ପତ୍ତି ଗାଇଡ଼ ଲାଇନକୁ ଖିଲାପ କରୁଥିବାର ଅଭିଯୋଗ କରିଛନ୍ତି ଅଭିଭାବକ . ସୂଚନାଯୋଗ୍ୟ ଯେ , କଳାକିଆରି ଗ୍ରାମରୁ ନୂତନ ବିଦ୍ୟାଳୟକୁ ଗଲାବେଳେ ହୁଡ଼ା ଗଡ଼ି, ବିଲମାଳ ରାସ୍ତା ଦେଇ ପିଲାମାନେ ଯିବାକୁ ପଡିବ l ତେଣୁ କଳାକିଆରି ଗ୍ରାମବାସୀ ସ୍କୁଲ ନ ଭାଙ୍ଗିବା ପାଇଁ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି l

Exit mobile version