Site icon Awaj Media

ବାଙ୍କୀ ବିଜେଡିରେ ଇସ୍ତଫା ଡ୍ରାମା : କିଛି ଅଧିକାରୀଙ୍କ ବଦଳି ପରେ ହୋଇପାରେ ମାନଭଞ୍ଜନ !!

Spread the love

କଟକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ବାଙ୍କୀ ନିର୍ବାଚନ ମଣ୍ଡଳୀରେ ହଠାତ ଏକ ରାଜନୈତିକ ଖବର ଆଲୋଚନାକୁ ଆସିଅଛି . ତାହା ହେଲା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଏକାନ୍ତ ଅନୁଗତ ସୁବାଷ ପାଢ଼ୀଙ୍କର ବିଜୁ ଜନତା ଦଳର ସାଧାରଣ ସଦସ୍ୟ ପଦରୁ ଇସ୍ତଫା . ସୁବାଷ ପାଢୀ ବାଙ୍କୀ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ହୋଇଥିବା ସମୟରେ ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମଧ୍ୟ ରହିଥିଲେ . ଇସ୍ତଫା ଦେବାର କାରଣ ସମ୍ପର୍କରେ ସୁବାଷ ପାଢୀ ଯାହା ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ସମ୍ବେଦନଶୀଳ . ବାଙ୍କୀର ନୀରିହ ଲୋକ ଏବଂ ଦଳୀୟ କର୍ମୀଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢିବାକୁ ଲାଗିଥିବାରୁ ବ୍ୟଥିତ ହୋଇ ସେ ଇସ୍ତଫା ପ୍ରଦାନ କରିଥିବା କଥା କହିଛନ୍ତି . ତେବେ ତାଙ୍କ ନିଜ ଦଳର ନେତା ନିର୍ବାଚିତ ହୋଇ ବିଧାୟକ ଥିବା ସମୟରେ କିଏ କାହିଁକି କାହା ଉପରେ ଅତ୍ୟାଚାର କରୁଛି ସେ ନେଇ କିଛି ସ୍ପଷ୍ଟ ବୁଝା ପଡ଼ିନାହିଁ . ଅନ୍ୟ ପକ୍ଷରେ ଦଳୀୟ କର୍ମୀଙ୍କ ଉପରେ ଅତ୍ୟାଚାର ହେଉଥିବା କଥା ସେ ଯାହା ପ୍ରକାଶ କରିଛନ୍ତି ତାହା ଅବଶ୍ୟ ସ୍ପଷ୍ଟ . ବିଗତ ଦିନରେ ଖଜୁରୀପଦା ନୂଆଗାଁ ର ଡବଲ ମର୍ଡର କେଶରେ ବହୁ ଶାସକ ଦଳର ସମର୍ଥକ ଗିରଫ ହୋଇ ଏବେ ଜେଲ ରେ ରହିଛନ୍ତି . ସେହିପରି ଅନ୍ୟ ଏକ ଘଟଣା କ୍ରମରେ ବିଜେଡିର ଆଉ ଜଣେ ଟାଣୁଆ ନେତାଙ୍କୁ ବାଙ୍କୀ ପୁଲିସ କଟକ କାଳୀଗଳିରୁ ଗିରଫ କରିବା ପରେ ଦଳୀୟ କର୍ମୀଙ୍କ ମନରେ ବାଙ୍କୀ ବିଜେଡି ନେତା ତଥା ବିଧାୟକଙ୍କ ନେତୃତ୍ୱ ନେଇ ଶଙ୍କା ଦେଖା ଦେଇଥିବାର ସୂଚନା ମିଳିଛି . ତେବେ ଗତ ସାଧାରଣ ନିର୍ବାଚନ ପରେ ପୂର୍ବତନ ବିଧାୟକ ପ୍ରଭାତ ବାବୁଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ ବାଙ୍କୀ ବିଧାୟକ ଭାବରେ ନିର୍ବାଚିତ ହେବା ପରେ କିଛି ପୁରୁଖା ନେତାଙ୍କର ଗାତ୍ରଦାହ ହେଉଥିବାର ଦେଖିବାକୁ ମିଳିଅଛି . ଏପରିକି ବାଙ୍କୀ ରେ ବାପା ବିଜେଡି ଓ ପୁଅ ବିଜେଡି ନାମରେ ଅଘୋଷିତ ସଂଗଠନ ଚାଲିଥିବାର କଥା ପୁରୁଖା ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି . ବାଙ୍କୀ ବିଜେଡିର କିଛି ଆଗ ଧାଡ଼ିର କର୍ମୀଙ୍କର ମତାମତ ଅନୁସାରେ ଆଗକୁ ସମୂହ ଇସ୍ତଫା ସଂଖ୍ୟା ବଢିବାକୁ ଯାଉଥିବା ସମୟରେ ଘଟଣା ନେଇ ବିଧାୟକ ତଥା ପୂର୍ବତନ ବିଧାୟକ କଣ କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର . ବିରୋଧୀ କଂଗ୍ରେସ ଏବଂ ବିଜେପି ପକ୍ଷରୁ ଏହାକୁ ଇସ୍ତଫା ଡ୍ରାମା ଭାବରେ ଅଭିହିତ କରାଯାଇଛି , ବାଙ୍କୀ ପ୍ରଶାସନର କିଛି ଅଧିକାରୀ ଆଗକୁ ବଦଳି ହେବା ପରେ ଏହି ଇସ୍ତଫା ନାଟକର ଅନ୍ତ ଘଟିବା ସହ ମାନଭଞ୍ଜନ ହେବ ବୋଲି କଟାକ୍ଷ ମଧ୍ୟ କରିଛନ୍ତି .

Exit mobile version