Site icon Awaj Media

ବରମୁଣ୍ଡା ବସ୍‌ ଟର୍ମିନାଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ !!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସଷ୍ଟାଣ୍ଡ ରାଜଧାନୀର ବରମୁଣ୍ଡା ବସ୍‌ଷ୍ଟାଣ୍ଡ . ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ବସ୍‌ ଚଳାଚଳ କରିଥାଏ . ହଜାର ହଜାର ଯାତ୍ରୀ ମଧ୍ୟ ବିଭିନ୍ନ ସ୍ଥାନକୁ ବସ୍‌ ଯୋଗେ ଯାଇଥାନ୍ତି . ତେଣୁ ଏହାକୁ ଏକ ଅତ୍ୟାଧୁନିକ ରୂପ ଦେବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କାମ ଆରମ୍ଭ ହୋଇଛି . ୧୮୦ କୋଟି ଟଙ୍କା ଖର୍ଚ୍ଚରେ ୧୮ ମାସରେ କାମ ଶେଷ କରି ବରମୁଣ୍ଡା ବସଷ୍ଟାଣ୍ଡକୁ ନବ କଳେବର ଲାରିବ ପାଇଁ ଆରମ୍ଭ ହୋଇଛି ଯୋଜନା ଓ କାମ . ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରମୁଣ୍ଡାର ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ . ଏହି ପ୍ରକଳ୍ପର ଦୁଇଟି ଭାଗ ରହିଛି . ଗୋଟିଏ ଖଣ୍ଡଗିରି ସ୍ଥିତ ବସ୍‌ ଡିପୋ ଏବଂ ଅନ୍ୟଟି ବରମୂଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ . ଖଣ୍ଡଗିରି ବସ୍‌ ଡିପୋ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଯାଇଛି ଏବଂ ମୁଖ୍ୟମନ୍ତ୍ରୀ ଆଜି ତାହା ବୁଲି ଦେଖିଥିଲେ . ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲକୁ ପୂର୍ବ ଭାରତର ପ୍ରମୁଖ ବସ୍‌ ଟର୍ମିନାଲ ଭାବରେ ଗଢି ତୋଳିବାକୁ ରାଜ୍ୟ ସରକାରଙ୍କର ଲକ୍ଷ୍ୟ ରହିଛି . ଅତ୍ୟାଧୁନିକ ଡିଜାଇନ ସହିତ ଯାତ୍ରୀମାନଙ୍କର ସୁବିଧା ସୁଯୋଗ, ବସ୍‌ ମାନଙ୍କ ପାଇଁ ପ୍ରସସ୍ଥ ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜ୍ୟିକ ସ୍ଥାନ ଆଦି ଉପରେ ଏଥିରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଛି . ମୁଖ୍ୟମନ୍ତ୍ରୀଙ୍କ 5T କାର୍ଯ୍ୟକ୍ରମ ଅଧିନରେ ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲର ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇଛି . ଏହି କାର୍ଯ୍ୟ ପାଇଁ ମୋଟ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଗରୁ ଘୋଷଣା କରିଥିଲେ .ମୁଖ୍ୟମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ, ଭୁବନେଶ୍ୱର ମହାନଗର ନିଗମର କମିଶନର ଓ ପୋଲିସ କମିଶନର ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ .

Exit mobile version