Site icon Awaj Media

ରାଜାରାଣୀ ସଙ୍ଗୀତ ଉତ୍ସବର ଉଦ୍‍ଘାଟନୀ ସଂଧ୍ୟାରେ ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମତ୍କାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପାରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାର ମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ସହିତ ଏହି କଳାର ପ୍ରଚାର ପ୍ରସାର କରାଇବା । ଏହା ବ୍ୟତୀତ ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ୍ୟବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିମୁଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା ।

ଆଜି ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା କର୍ଣ୍ଣାଟକୀ ସଙ୍ଗୀତର ପ୍ରସିଦ୍ଧ ଗାୟୀକା ବିଦୁଶୀ ଶୁଦ୍ଧା ରଘୁରମଣନଙ୍କର କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣ । ସେ ପ୍ରଥମେ ସିଦ୍ଧି ବିନାୟକଙ୍କ ବନ୍ଦନା ରାଗ ଆସୀ ଓ ଆଦିତାଳରୁ ଆରମ୍ଭ କରି ରାଗ ହଂସ ଧ୍ୱନି, ରାଗଶ୍ରୀ ଏବଂ ଶିବପଞ୍ଚାକ୍ଷର ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ରାଗ ବିସ୍ତାର, ରସୋତ୍ତୀର୍ଣ୍ଣ ପରିବେଷଣ ଭାବାବେଗ ସହିତ ଶୁଦ୍ଧ ଉଚ୍ଚାରଣ ଓ କମୋନିୟ ଏବଂ ଚିତାକର୍ଷକ ସ୍ୱରରେ ସେ ଦୀର୍ଘ ସମୟଧରି ଦର୍ଶକମାନଙ୍କୁ ଆହ୍ଲାଦିତ କରିଥିଲେ ।

ସଂଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ରିଦିମ୍‍ସ୍କେପ୍‍ ମାଷ୍ଟରୋ ବିକ୍ରମ ଘୋଷଙ୍କ ଦ୍ୱାରା ତବଲା ଫ୍ୟୁଜନ । ତାଙ୍କର ପ୍ରସ୍ତୁତିରେ ଥିଲା ଶିବ ତାଣ୍ଡବ ସହିତ ତବଲା, ପୋଖଜ, କର୍ଣ୍ଣାଟକୀ ମୃଦଙ୍ଗମ୍‍, ପାରମ୍ପାରିକ ଶ୍ରୀଖଳ ଓ ସମସାମୟିକ ଡ଼୍ରମ୍‍ର ସମ୍ମନୟରେ ଶାସ୍ତ୍ରୀୟ ତବଲା ବାଦନ ଯାହା ବିକ୍ରମ ଘୋଷଙ୍କର ସୃଜନଶୀଳତାର ଶୁଖ୍ମତା ପ୍ରତିପାଦିତ ହୋଇଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଉପଭୋଗ କରିଥିଲେ ।

ଆଜି ସନ୍ଧ୍ୟାର ଅତିଥିମାନେ ଥିଲେ ମାନ୍ୟବର ପର୍ଯ‎୍ୟଟନ, ଓଡ଼ିଆ ଭାଷା, ସାହିତ‎୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ; ଓଡ଼ିଶା ମୁଖ୍ୟନ୍ତ୍ରୀଙ୍କର ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରୀଷ୍ଣନ୍‍; ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ; ଓଡ଼ିଶା ପର୍ଯ‎୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର; ପର୍ଯ‎୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ । କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଏବଂ ଅନୁଜା ତାରିଣୀ ମିଶ୍ର । ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ଉପ ସଚିବ, ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ଅଧିକାରୀ ଓ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version