Site icon Awaj Media

ନିଆରା ଆଦିବାସୀ ପରମ୍ପରା ଟୋକିପରବ ଉଦଯାପିତ।

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା, କଲମପୁର ବ୍ଲକ ଦେପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାବୁକେନ୍ଦୁ ଗୁଡା ଗ୍ରାମଠାରେ ଟୋକିପରବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ସନ୍ଥ ସାହୁ , ଉପ-ସଭାପତି ଶ୍ରୀକାନ୍ତ ଛତ୍ରୀଆ, ସମ୍ପାଦକ ସୁଧୀର ରଂଜନ ବାଗ , ଗୌନ୍ତିଆ ସୁଦର୍ଶନ ବେମାଲ, ପୁଝାରି ଉମା ଶଙ୍କର ଜାନୀ ପ୍ରମୁଖ ଉପସ୍ଥିତ ଥିଲେ । ସାଧାରଣତଃ ପୌଷ ମାସର ରବିବାର ଦିନ ଆୟୋଜିତ ହୋଇଥାଏ ଆଦିବାସୀ ମାନଙ୍କ ମୁଖ୍ୟ ପର୍ବ ଟୋକିପରବ । ଏଥି ନିମନ୍ତେ ଗୁରୁବାର ଦିନ ଗୁରୁପୂଜା , ଶୁକ୍ରବାର ଦିନ ସୁଖରେ ଖାଇବା ଏବଂ ଶନିବାର ଦିନ ଆନନ୍ଦରେ ଧାଇଁବା ଓ ଗ୍ରାମ ପରିକ୍ରମା କରିବା ଆୟୋଜିତ ହୋଇଥାଏ । ରବିବାର ଦିନ ସକାଳୁ ସକାଳୁ ଟୋକିପରବ ଆୟୋଜିତ ହୋଇଥିବା ଗ୍ରାମରେ ଜାନୀ, ପୁଝାରୀ ପାରମ୍ପାରିକ ରୀତିନୀତି ରେ ପୂଜାର୍ଚ୍ଚନା କରିବା ସହିତ ଆଖପାଖ ଅଂଚଳରୁ ଆସିଥିବା , ପରବ ନିମନ୍ତେ ଉଦ୍ଧିଷ୍ଟ ମେଣ୍ଡା ବା ଗଡ଼ରା କୁ ଧଳା କପଡ଼ା ଗୁଡ଼ାଇ ଶୋଭାଯାତ୍ରା ରେ ଧରଣୀ ଗୁଡ଼ି , ମନ୍ଦିରକୁ ଆଣିଥାନ୍ତି ।

ପୂଜାର୍ଚ୍ଚନା ପରେ ଟୋକି ପରବରେ ବଳି ଦିଆଯାଇଥିବା ଗଡ଼ରା ର ମାଂସ କାଟି କାଟି ସମସ୍ତେ ନିଜ ନିଜ ଗାଁକୁ ନେବାପାଇଁ ଏକ ରକମର ପ୍ରତିଯୋଗିତା ଲାଗି ରହେ । ପରିସ୍ଥିତ ବେଳେ ବେଳେ ଅଣାୟତ ହୋଇପଡେ । ଟୋକି ପରବର ପ୍ରସାଦ ସ୍ୱରୂପ ଏହି ମାଂସ ଖଣ୍ଡିକ ଜମିରେ ପୋତିବା ଦ୍ୱାରା କିମ୍ବା ମାଟି ମାଆ କୁ ଶାନ୍ତକଲେ ମାଟିର ଉର୍ବରତା ଶକ୍ତି ବୃଦ୍ଧିହୁଏ ଏବଂ ମାଟି ମାଆ ସୁନାର ଫସଲ ଫଳାଇ ଥାଏ ବୋଲି ଆଦିବାସୀ ମାନଙ୍କର ବିଶ୍ୱାସ ରହିଛି । ପୂର୍ବେ ମାଟି ମାଆ କୁ ଶାନ୍ତ କରିବା ପାଇଁ ଆଦିବାସୀ ମାନେ ଏକ କୁଆଁରୀ କନ୍ୟା ( ଟୋକି ) କୁ ଟୋକି ପରବରେ ଧରଣୀ ଖୁଣ୍ଟରେ ବଳି ଦେଉଥିଲେ । ତେଣୁକରୀ ଏହି ପରବର ନାମ ଟୋକି ପରବ ହୋଇଛି ଏବଂ ଆଦିବାସୀ ମାନେ ଏହି ଟୋକି ପରବକୁ ଅତି ଆଗ୍ରହର ସହିତ ପାଳନ କରିଥାନ୍ତି ।

Exit mobile version