Site icon Awaj Media

ସମର୍ପଣରେ ସମ୍ପର୍କ ସମାବେଶ ।

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଲେଖନପୁର ଠାରେ ଅବସ୍ଥିତ ବୃଦ୍ଧାଶ୍ରମ (ସମର୍ପଣ) ପରିସରରେ ନୟାଗଡ ଜିଲ୍ଲାପାଳ ତଥା “ସମର୍ପଣ ” ପରିଚାଳନା କମିଟିର ଅଧ୍ୟକ୍ଷା ଡ.ପୋମା ଟୁଡୁ ଙ୍କ ସଭାପତିତ୍ୱରେ ଏକ ସମ୍ପର୍କ ସମାବେଶ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ବିଡିଓ ମନୋଜ କୁମାର ପାତ୍ର ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ଯୋଗ ଦେଇଥିଲେ । ସର୍ବପ୍ରଥମେ ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି ସମର୍ପଣ ଗୃହର ପରିକଳ୍ପନା ତଥା ମାର୍ଗଦର୍ଶନ କରୁଥିବା ମାନ୍ୟବର ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । “ସମର୍ପଣ”ର ସମ୍ପାଦକ ଅରୁଣ କୁମାର ମହାନ୍ତି ବାର୍ଷିକ ବିବରଣୀ ସହିତ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ନାମ ପାଠ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ପରିଚଳନା ତଥା କଳେବର ବୃଦ୍ଧିରେ ସହଯୋଗ କରିଥିବା ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରିବା ସହିତ ପ୍ରତିଦିନ ରୋଷେଇ ପାଇଁ ପରିବା ଯୋଗାଉଥିବା ପରିବା ବ୍ୟବସାୟୀ ସଂଘ ଓ ପ୍ରତ୍ୟକ ମାସରେ ଅନ୍ତେବାସୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଡାକ୍ତର ବନ୍ଧୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଆଶ୍ରମ ପରିସରରେ ପ୍ଳେ ସ୍କୁଲ, ପରିବା ବଗିଚା ଆଦି ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାରେ ଏହାକୁ ସର୍ବଶ୍ରେଷ୍ଠ ଜରାଶ୍ରମ ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲା ବେଳେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ବୃଦ୍ଧାଶ୍ରମକୁ ବୁଲି ଦେଖନ୍ତୁ ଯେପରି ଭବିଷ୍ୟତରେ ଭାରତ ବର୍ଷରେ ବୃଦ୍ଧାଶ୍ରମର ଆବଶ୍ୟକତା ରହିବ ନାହିଁ, ସେଥିପାଇଁ ସମସ୍ତେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ।

ସମର୍ପଣ ପରିଚଳନା କମିଟିର କାର୍ଯ୍ୟନିର୍ବାହୀ ସଦସ୍ୟ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ପ୍ରତ୍ୟେକ ମାସରେ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଡାକ୍ତର ରାଜେଶ କୁମାର ମିଶ୍ର, ଡାକ୍ତର ବିଭୁତି ଭୂଷଣ ଦଳେଇ, ଫାର୍ମାସିଷ୍ଟ ପ୍ରତିଭା ମିଶ୍ର, ପାଥୋଲୋଜିସ୍ଟ ପ୍ରଫୁଲ୍ଲ କୁମାର ବେହେରା, ବୈଦ୍ୟ ଜନ୍ମେଜୟ ମହାନ୍ତି, ଆକ୍ୟୁପ୍ରେସର ସେବା ପାଇଁ ସମାଜସେବୀ ଭାସ୍କର ଚନ୍ଦ୍ର ସାହୁ ଓ ପ୍ରତିଦିନ ପରିବା ଯୋଗାଉଥିବା ପରିବା ବ୍ୟବସାୟୀ ସଂଘ ସଭାପତିଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ସମର୍ପଣର ଅଭିବୃଦ୍ଧି ନିମିତ୍ତ ଉପସ୍ଥିତ ବ୍ୟକ୍ତି ମାନେ ଅନେକ ପ୍ରସ୍ତାବ ଦେଇଥିଲା ବେଳେ ସମର୍ପଣର କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version