Site icon Awaj Media

ଆକାଂକ୍ଷାର ବିଷୁବ ମିଳନ ଏବଂ ସିଦ୍ଧାନ୍ତ ପତ୍ରିକା ଉନ୍ମୋଚନ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ଆକାଂକ୍ଷା ଆନୁକୂଲ୍ୟରେ ଉତ୍କଳ ହିତୈସିଣି ସମାଜ ସଭାଗୃହରେ ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷା ଅର୍ଣ୍ଣପୂର୍ଣ୍ଣ। ଦେବୀଙ୍କ ଉପସ୍ଥିତି ଓ ଆଶାଲତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବିତା କଣ ? ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଗୁରୁ ଗୌରବ ଗୌର ଚନ୍ଦ୍ର ପଣ୍ଡା, ଡ଼.ଚନ୍ଦ୍ର ଶେଖର ଦାସ, ବରଦା ଆଚାର୍ଯ୍ୟ, ଇସାନ ଚାନ୍ଦ ଓଁକାର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏଥିରେ ଯୋଗ ଦେଇ କବିତା କବି ହୃଦୟାନୁଭୁତିର କଳାତ୍ମକ ପରିପ୍ରକାଶ ବୋଲି କହିଥିଲେ । ଶ୍ରୀମତୀ ଅଳକା ସାହୁ, କଲ୍ୟାଣି ମିଶ୍ର, ମିନା କୁମାରୀ ଟହଲ ପ୍ରମୂଖ ଯୋଗଦେଇ ବିଷୁବ ମିଳନର ତାତ୍ପର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ସିଦ୍ଧାନ୍ତର ବିଷୁବ ସଂଖ୍ୟା ଉନ୍ମୋଚିତ ହୋଇଥିଲା , ସିଦ୍ଧାନ୍ତର ସାଧାରଣ ସମ୍ପାଦକ ରୀତା ଚୌଧୁରୀ “ସିଦ୍ଧାନ୍ତ” ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଆକାଂକ୍ଷା ଓ ସିଦ୍ଧାନ୍ତ ଉଭୟ ଅନୁଷ୍ଠାନର କର୍ମକର୍ତ୍ତା ଭାଗ୍ୟଲକ୍ଷ୍ମୀ ନାୟକ, ଡ଼.ଭୁବନେଶ୍ୱର ପଟ୍ଟନାୟକ, ହୀରା ଚାନ୍ଦ ପଟ୍ଟନାୟକ, ତ୍ରିପତି ପ୍ରସାଦ ପଣ୍ଡା, ଗଣେଶ ରାଜୁ, ମୁରଲୀଧର ପରିଚ୍ଛ।, ବିନୋଦ ଚନ୍ଦ୍ର ଜେନା, ବିଚିତ୍ରା ନନ୍ଦ ବେବର୍ତ୍ତା, ମମତା ପାଢ଼ୀ ପ୍ରଭୃତି ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଆକାଶବାଣୀ କଳାକାର ବି.କମଳାଙ୍ଗି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଡ଼. ଇପ୍ସିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଡ଼.କଲ୍ୟାଣି ମିଶ୍ରଙ୍କ ସଂଯୋଜନାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଶାସନିକ ଅନୁମତି ସହ କୋଭିଡ଼ ନିୟମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Exit mobile version