କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୁଳ ଜିଲ୍ଲା କଣିହାଁ ଖୋଲା ଖାଦନ କୋଇଲା ଖଣିରେ କମ୍ପାନୀ ମାନଙ୍କର ଚାଲିଛି ମନମୁଖୀ କାର୍ଯ୍ୟ । ଆଇନ୍ ଅନୁଯାୟୀ ଖଣି ନିମନ୍ତେ ଜମିହରା ପ୍ରଜା ଏବଂ ଆଫେକ୍ଟେଡ୍ ଅଞ୍ଚଳ ବାସୀ ମାନଙ୍କୁ କର୍ମ ନିଯୁକ୍ତି ପାଇଁ ଅଗ୍ରାଧିକାର ଥିବାବେଳେ MCLର ନୂତନ ଟେଣ୍ଡର ପାଇଥିବା କମ୍ପାନୀ ମାନେ ପୂର୍ବରୁ କାର୍ଯ୍ୟ କରି ଆସିଥିବା ଡ୍ରାଇଭର ମାନଙ୍କୁ କାର୍ଯ୍ୟରେ ନିୟୋଜିତ ନକରି କିମ୍ବା ଜମିହରା ପ୍ରଜା ମାନଙ୍କୁ ନିଯୁକ୍ତି ନଦେଇ ଅନ୍ୟ ରାଜ୍ୟର ଲୋକମାନଙ୍କୁ କର୍ମରେ ନିୟୋଜିତ କରି ଚାଲିଛନ୍ତି ।
ଦୀର୍ଘ ତିନି ମାସ ଧରି କ୍ଷତିଗ୍ରସ୍ତ ପ୍ରଜାମାନେ ଏବଂ କିଛି ସ୍ଥାନୀୟ ଡ୍ରାଇଭର ମାନେ ଏହାକୁ ବିରୋଧ କରି ଆସୁଥିଲେ । ଡ୍ରାଇଭର ମାନଙ୍କ କହିବା କଥା ଅନୁସାରେ ସେମାନେ ପୂର୍ବରୁ MCL ର RPL କମ୍ପାନୀରେ ନିଯୁକ୍ତି ପାଇଥିଲେ କିନ୍ତୁ ସେହି କମ୍ପାନୀର ଟେଣ୍ଡର ସରିଥିବା ପରେ ନୂତନ ଟେଣ୍ଡର ପାଇଥିବା କମ୍ପାନୀ ମାନେ ନିୟମ ଅନୁସାରେ ପ୍ରଥମେ ସେମାନଙ୍କୁ କର୍ମରେ ନିୟୋଜିତ କରିବା କଥା । କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ନିଯୁକ୍ତି ଦେବା କଥା । ତାହା ନକରି ବାହାର ଅଞ୍ଚଳର ଲୋକମାନଙ୍କୁ ଏଠି ନିଯୁକ୍ତି ଦିଆଯାଉଛି ।
ଏସବୁ କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ କ୍ଷତିଗ୍ରସ୍ତ ପ୍ରଜା ମାନେ । ନିଜ ଅଞ୍ଚଳର ପ୍ରଜାମାନଙ୍କ ଅସୁବିଧାର ଖବର ପାଇ ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ ଉପସ୍ଥିତ ହୋଇଥିଲେ । ଏସଂପର୍କରେ କଣିହାଁ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ MCL କର୍ତୃପକ୍ଷ କିଶୋର କୁମାର ରାଉଳଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାରେ MCL କର୍ତୃପକ୍ଷ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ଅଗ୍ରାଧିକାର ଦେଇ ନିଯୁକ୍ତି ଦେବା ପାଇଁ ତାଳଚେର ବିଧାୟକ ଓ କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ ପ୍ରତିଶୃତି ଦେଇଛନ୍ତି ।

