Site icon Awaj Media

କୃଷି ଓ କୃଷକ ପ୍ରସଂଗରେ ବିଜେଡି ମତ ସ୍ପଷ୍ଟ କରିବାକୁ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ନାଇଡୁଙ୍କ ଦାବି !!

Spread the love

ଗଜପତି (ଆୱାଜ଼ ମିଡ଼ିଆ)- ବିବେକାନନ୍ଦ ବେହେରା : ନୂତନ କୃଷି ଆଇନ ପ୍ରତ୍ୟାହାର ସହ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି , ସ୍ୱାମୀନାଥନ କମିସନ ସୁପାରିଶ ଲାଗୁ କରାଯିବା ନେଇ ନେଇ ଗତ ଛ’ଅ ମାସରୁ ଅଧିକ ସମୟ ଧରି ଦେଶର ଅନ୍ନଦାତା ମାନେ ଆନ୍ଦୋଳନ ଚଳାଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ କୃଷକ ମାନକଂର ସମସ୍ୟା ନେଇ ମୁହଁ ନ ଖୋଲି ସଂପୂର୍ଣ୍ଣ ଚୁପ ରହିଛି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି.ଚନ୍ଦ୍ରଶେଖର ନାଇଡୁ । ଶ୍ରୀ ନାଇଡୁ କହିଛନ୍ତି ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜୁ ଜନତା ଦଳ ନିଜର ନିର୍ବାଚନୀ ଇସ୍ତାହାରରେ କୃଷକ ମାନଙ୍କ ସ୍ୱାର୍ଥକୁ ପ୍ରାଧାନ୍ୟ ଦେବାକୁ ପ୍ରତିଶୃତି ଦେଇଥିଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବ ବୋଲି ନିର୍ଦିଷ୍ଟ ଭାବେ ଇସ୍ତାହାରରେ ଉଲ୍ଲେଖ ଥିଲା । ଏହାସହ ନିର୍ବାଚନ ପୂର୍ବରୁ ଏହାକୁ ମୁଖ୍ୟ ରାଜନୈତିକ ପ୍ରସଙ୍ଗ ଭାବେ ନେଇ ବେଶ ତୁମ୍ବି ତୋଫାନ କରିଥିଲା । କିନ୍ତୁ ଜିତିବା ପରେ ବିଜେଡି ସରଳ ଓଡିଶାବାସୀ ଙ୍କୁ ଧୋକ୍କା ଦେଇଛି ବୋଲି ଶ୍ରୀ ନାଇଡୁ ଅଭିଯୋଗ କରିଛନ୍ତି । କୃଷି ଓ କୃଷକ ମାନଙ୍କ ପ୍ରସଙ୍ଗରେ ଦେଶରେ କଂଗ୍ରେସ ଦଳ ସମେତ ୧୨ଟି ପ୍ରମୁଖ ରାଜନୈତିକ ଦଳ ସଂଯୁକ୍ତ କିଷାନ ମୋର୍ଚ୍ଚା ଦେଇଥିବା ପ୍ରତିବାଦକୁ ସମର୍ଥନ ଦେଉଥିବା ବେଳେ ବିଜେଡି ଏହା ଠାରୁ ଦୂରେଇ ରହିଛି । ଖାଲି ସେତିକି ନୁହଁ ଗତ ମଇ ୧୨ ତାରିଖରେ ବି ଏହି ରାଜନୈତିକ ଦଳ ମାନେ ପ୍ରଧାନମନ୍ତ୍ରୀଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ। ସେତେବେଳେ ମଧ୍ୟ ବିଜେଡି ଏହା ଠାରୁ ଦୂରେଇ ରହିଥିଲା, ଯାହା ଏବେ ବିଜେଡିର ନୈତିକତା ଉପରେ ପ୍ରଶ୍ନ ଉଠୁଛି ବୋଲି ଶ୍ରୀ ନାଇଡୁ କ୍ଷୋଭର ସହ କହିଛନ୍ତି । ରାଜ୍ୟର କୃଷି କ୍ଷେତ୍ରକୁ ଗଂଜାମ ଓ ଗଜପତି ଜିଲ୍ଲାର ବିଶେଷ ଅବଦାନ ଥିବା ବେଳେ ଏ ଦୁଇ ଜିଲ୍ଲାର କୃଷକ ବେଶ ଦୟନୀୟ ଅବସ୍ଥାରେ ଅଛନ୍ତି । ଗଂଜାମର ଧାନ ଚାଷୀ ଓ ଗଜପତି ଜିଲ୍ଲାର ମକା ଚାଷୀ ସବୁବେଳେ କ୍ଷତି ସହି ଆସୁଛନ୍ତି । ସରକାରୀ ଧାର୍ଯ୍ୟ ମୁତାବକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଓ ମକା ର ମୂଲ୍ୟ ୧୮୫୦ ରହିଥିବା ବେଳେ ଚାଷୀ ପ୍ରଚୁର କ୍ଷତି ସହୁଛି । ଏପରିକି ସମୟେ ସମୟେ ଏହା ଠାରୁ ଢେର କମ ଦାମରେ ବି ଚାଷୀ ନିଜର ଶସ୍ୟ ବିକ୍ରି କରୁଥିବା ପରିଲକ୍ଷିତ ହେଉଛି । ତେଣୁ ଚାଷୀର ସ୍ୱାର୍ଥ କୁ ଦୃଷ୍ଟିରେ ରଖି ବିଜେଡି ନିଜର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ନାଇଡୁ ଦାବୀ କରିବା ସହ କୃଷକ ମାନଙ୍କ ପ୍ରତିବାଦ ଦିବସକୁ ସମର୍ଥନ ଜଣାଇବାକୁ ସେ ଜନସାାଧାରଣ ଙ୍କୁ ନିବେଦନ କରିଛନ୍ତି।।

Exit mobile version