Site icon Awaj Media

ମାତିଛନ୍ତି ଜଙ୍ଗଲୀ ହାତୀ : ଜଙ୍ଗଲକୁ ନ ଯିବା ପାଇଁ ବନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଘୁ.ଉଦୟଗିରି ପଞ୍ଚାୟତର ମୁକୁଲିଙ୍ଗିଆ ଓ ଲଏରାଜୁ ଅଞ୍ଚଳରେ କେତେକ ଜଙ୍ଗଲୀ ହାତୀ ଆସି ଆତଙ୍କ କରୁଥିବା ଦେଖିବାକୁ ମିଳଛି । ଏହି ହାତୀମାନେ ବୁଲାବୁଲି କରୁଥିବାରୁ ଜଙ୍ଗଲ ଭିତରକୁ ନ ଯିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଉତ୍ତର ଘୁମୁସର ବନଖଣ୍ଡର ୧୬ଟି ହାତୀ ବୁଧବାର ରାତି ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ଗ୍ରାମ ପଞ୍ଚାୟତ ସ୍ଥିତ ମୁକୁଲିଙ୍ଗିଆ ଓ ଲଏରାଜୁ ଅଞ୍ଚଳରେ ଆସି ଲଏରାଜୁର କେତେକ କଦଳୀ ବାଡ଼ି, ମୁକୁଲିଙ୍ଗିଆରେ ଥିବା କେତେକ ବାଉଁଶ ବୁଦାରେ ପଶି ବ୍ୟାପକ କ୍ଷୟକ୍ଷତି କରିଛି । ଉତ୍ତର ଘୁମୁସର ବନଖଣ୍ଡର ଦରପଙ୍ଗିଆ ସଂରକ୍ଷିତ ଜଙ୍ଗଲରୁ ଆସିଥିବା ୪ଟି ଦନ୍ତା, ୫ଟି ମାଇ ହାତୀ ଓ ୭ଟି ଛୁଆହାତୀ ଆସିଥିବା ଜଙ୍ଗଲରେ ବୁଲାବୁଲି କରୁଥିବା ଜଣାପଡ଼ିଛି। ହାତୀମାନଙ୍କ ପାଦ ଚିହ୍ନ ଏବଂ ମଳର ସନ୍ଧାନ ମିଳିଛି।ମୁକୁଲିଙ୍ଗିଆ ଗ୍ରାମବାସୀଙ୍କ ଠାରୁ ଖବର ପାଇ ବନାଞ୍ଚଳ ଅଧିକାରିଣୀ ମୀନାକ୍ଷୀ କୁମାରୀ ବିଳମ୍ବିତ ରାତିରେ ନିଜର କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗୁରୁବାର ପୂର୍ବାହ୍ନରେ ବନାଞ୍ଚଳ ଅଧିକାରୀ ସହିତ ବନପାଳ ରଶ୍ମିତା ବକ୍ସି,ବନରକ୍ଷୀ ସିଏଚ୍. ଅନିତା ପାତ୍ର, ବିଭୁ ରଞ୍ଜନ ସାମନ୍ତରାୟ ସମେତ ମୁକୁଲିଙ୍ଗିଆ ଗ୍ରାମବାସୀଙ୍କ ସହାୟତାରେ ଏ ନେଇ ବନ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଗ୍ରାମବାସୀଙ୍କୁ ଜଙ୍ଗଲକୁ ନ ଯିବା ସହ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।

Exit mobile version