Site icon Awaj Media

୧୨ ବର୍ଷ ପରେ ଗାଁ ମାଟି ଦେଖିବେ ଜନ ନାୟକ !!!

Spread the love

ନୟାଗଡ଼ ( ଆୱାଜ ମିଡିଆ ) – ସଞ୍ଜୀବ କୁମାର ଡାକୁଆ : ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟା ତଥା ମୁମ୍ବାଇ ର ଅଗ୍ରଣୀ ସାମାଜିକ ସଂଗଠନ ଶ୍ରଦ୍ଧା ଫାଉଣ୍ଡେସନ ର ଉଦ୍ୟମରେ ସୁସ୍ଥ ହୋଇ ନିଜ ଗାଁ ମାଟି କୁ ଫେରିଛନ୍ତି ଜନ ନାୟକ । ଦୀର୍ଘ ୧୨ ବର୍ଷ ତଳେ ମସ୍ତିସ୍କ ବିକୃତ ହୋଇ ନୟାଗଡ଼ ଜିଲା ନୂଆଗାଁ ବ୍ଳକ୍ ଗୁମି ପଞ୍ଚାୟତର ଜନ ନାୟକ ଘରୁ କେଉଁଆଡେ ଚାଲି ଯାଇଥିଲେ । ଘର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇ ତାଙ୍କ ଫେରିବା ଆଶା ଛାଡ଼ି ଦେଇଥିଲେ । ସୁଦୂର ମୁମ୍ବାଇ ରେ ,ଏକ ସାମାଜିକ ସଂଗଠନ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଜାରି ରଖିଥିଲେ । ଦୀର୍ଘ ଦିନ ପରେ ସେ ସୁସ୍ଥ ହୋଇ ନିଜ ନାଁ ଓ ଗାଁ ଠିକଣା କହିଥିଲେ । ଏ ଖବର ତାଙ୍କ ଗାଁ ରେ ପହଞ୍ଚିବା ପରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗାଁ ର ପୁଅକୁ ଗାଁ କୁ ଫେରାଇ ଆଣିବା ପାଇଁ ଆରମ୍ଭ କରିଥିଲେ ପ୍ରୟାସ ।

ଶେଷରେ ସବୁ ଚେଷ୍ଟା ସଫଳ ହୋଇଛି , ଆଜି ସକାଳେ ମୁମ୍ବାଇରୁ ଟ୍ରେନ ଯୋଗେ ଆସି ଭୁବନେଶ୍ୱର ରେ ପହଞ୍ଚିଛନ୍ତି ଜନ । ଏପରିକି ନିଜେ ବିଧାୟକ ଷ୍ଟେସନ ରେ ଉପସ୍ଥିତ ହୋଇ ତାଙ୍କୁ ସ୍ୱାଗତ କରିଥିଲେ . ଗାଁ ରୁ ଆସିଥିବା କିଛି ଆତ୍ମୀୟଙ୍କ ସହିତ ତାଙ୍କର ଗାଁ କୁ ଫେରିବା ବ୍ୟବସ୍ଥା ମଧ୍ୟ କରିଛନ୍ତି ବିଧାୟକ ରମେଶ ବେହେରା . ସୂଚନାଯୋଗ୍ୟ ଯେ , ମୁମ୍ବାଇ ର ଶ୍ରଦ୍ଧା ଫାଉଣ୍ଡେସନ ସହଯୋଗରେ ସେଠାରେ ଚିକିତ୍ସିତ ହେଉଥିବା କେଉଁଝର , ଗଞ୍ଜାମ ଏବଂ କଳାହାଣ୍ଡି ର ଅନ୍ୟ ତିନି ଜଣ ଲୋକ ମଧ୍ୟ ସୁସ୍ଥ ହୋଇ ଆଜି ଭୁବନେଶ୍ଵର ରେ ପହଞ୍ଚିଛନ୍ତି . ଶ୍ରଦ୍ଧା ଫାଉଣ୍ଡେସନ ର ଏପରି କାମକୁ ଅତ୍ୟନ୍ତ ପ୍ରଶଂସା କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।।

Exit mobile version