Site icon Awaj Media

ମିସାଇଲ ମ୍ୟାନ୍ ଅବଦୁଲ କାଲାମଙ୍କ ପୁଣ୍ୟତିଥିରେ ଜନମଙ୍ଗଳ ପରିଷଦ ତରଫରୁ ଶ୍ରଦ୍ଧାଞ୍ଜଳୀ !!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଭାରତର ମିସାଇଲ ମ୍ୟାନ୍ ଅବଦୁଲ କାଲାମଙ୍କ ପୁଣ୍ୟତିଥି । ପୂଜ୍ୟପୂଜା ପରମ୍ପରାକୁ ବଜାୟ ରଖି ଆସୁଥିବା ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ତରଫରୁ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ସ୍ୱର୍ଗତ କାଲାମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ପ୍ରସିଦ୍ଧ ବୈଜ୍ଞାନିକ ଡକ୍ଟର ଏ.ପି.ଜେ ଅବଦୁଲ କାଲାମଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା | ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖଚନ୍ଦ୍ର ଜେନା ଏହି ଅବସରରେ ଡ଼ଃ କାଲାମ ଙ୍କ ସ୍ମୃତିଚାରଣ କରି କହିଥିଲେ କି, ”କେବଳ ଭାରତ ନୁହେଁ ସାରା ବିଶ୍ୱରେ ଅନେକ ଲୋକଙ୍କ ଆଦର୍ଶ ହୋଇ ରହିଥିବା ଏକ ବ୍ୟକ୍ତିତ୍ୱ ହେଉଛନ୍ତି ଅବଦୁଲ କାଲାମ | ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ, ଭାରତ ରତ୍ନ ସହ ଅନେକ ପ୍ରତିଷ୍ଠିତ ପୁରସ୍କାରରେ ସମ୍ମାନିତ ହୋଇଥିବା କାଲାମଙ୍କ ର ସରଳ ଜୀବନଯାପନ ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ମହାନ ଦିଗ | ତାଙ୍କ ମୃତ୍ୟୁ ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ମେଘାଳୟର ଶିଲଙ୍ଗ ଠାରେ ହୋଇଥିଲା” । ପରିଷଦର ଅନ୍ୟତମ ସଦସ୍ୟ ଯୁବ ଉଦ୍ୟୋଗୀ ନିରଞ୍ଜନ ସାହୁ ଭାରତ ମାତାର ଏହି ସୁଯୋଗ୍ୟ ସନ୍ତାନଙ୍କୁ ମନେପକାଇ କହିଥିଲେ କି, ଭାରତୀୟ ବିଜ୍ଞାନ ଜଗତର ମହାନାୟକ ଡ଼ଃ ଅବଦୁଲ କାଲାମଙ୍କ ସରଳତା ଆଜି ପ୍ରତ୍ୟେକ ଯୁବ ପ୍ରାଣକୁ ପ୍ରଭାବିତ କରୁଛି | ତାଙ୍କର ଦ୍ୱାରା ଲିଖିତ ପୁସ୍ତକ ‘ୱିଙ୍ଗସ୍ ଅଫ୍ ଫାୟାର’ (୧୯୯୯) ଓ ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍ ଦେଶର କୋଟି କୋଟି ଲୋକଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛି | ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଅବିନାଶ ଦାସ, ଲକ୍ଷ୍ମୀ ବିଶ୍ୱାସ, ବୈଲୋଚନ ସାହୁ, ମନୋରଞ୍ଜନ ଦାଶ, ସୁକାନ୍ତ ମହାନ୍ତି, ମନୋରଞ୍ଜନ ପଣ୍ଡା ପ୍ରମୁଖଙ୍କ ସହ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ | ସାମ୍ବାଦିକ ମିଲନ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | କରୋନା ନିୟମ ମାନିବା ସହ ମାସ୍କ ପରିଧାନ କରି ସାମାଜିକ ଦୂରତ୍ୱ ରଖି ଲୋକମାନେ ଶୃଙ୍ଖଳା ସହକାରେ କାଲାମଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ |

Exit mobile version