Site icon Awaj Media

ପର୍ଯ୍ୟଟନ ବିକାଶ କରିବା ଆଳରେ ସଂସ୍କୃତି ସମ୍ପନ୍ନ ଐତିହ୍ୟକୁ ଦଳିଚକଟି ଦେବାକୁ ଷଡଯନ୍ତ୍ର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ପବିତ୍ର ମହୋଦଧି କୁଳରେ ମଦ୍ୟପାନ ବ୍ୟବସ୍ଥାକୁ ତୁରନ୍ତ ବାତିଲ କରିବା ଦାବିରେ ବିକ୍ଷୋଭ . ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ମଦ୍ୟପାନର ସୁବିଧା ନିମନ୍ତେ ଓଟିଡିସି ପକ୍ଷରୁ ‘ବିଚ୍ ସାକ୍ସ’ ନାମରେ ମଦ କାଉଣ୍ଟର ଖୋଲି ଲୋକଙ୍କୁ ମଦ ପରସା ଯିବାର ବ୍ୟବସ୍ଥା କରାଯାଉଛି | ପର୍ଯ୍ୟଟନ ବିକାଶ କରିବା ଆଳରେ ସଂସ୍କୃତି ସମ୍ପନ୍ନ ଐତିହ୍ୟକୁ ଦଳିଚକଟି ଦେବାକୁ ଷଡଯନ୍ତ୍ର କରାଯାଉଛି | ହେଲେ ଓଟିଡିସି କର୍ତ୍ତୃପକ୍ଷ ଭୁଲିଯାଇଛନ୍ତି ଯେ, ପୁରୀ ଏକ ମନୋରଞ୍ଜନ ଭିତ୍ତିକ ପର୍ଯ୍ୟଟନ କ୍ଷେତ୍ର ନୁହେଁ, ଏହା ଏକ ଧାର୍ମିକ ତୀର୍ଥକ୍ଷେତ୍ର | ପୁଣି ପବିତ୍ର ମହୋଦଧି କେବଳ ଏକ ଅବସର ବିନୋଦନ ସ୍ଥାନ ନୁହେଁ ଏହା ହିନ୍ଦୁ ଧର୍ମାବଲମ୍ବୀଙ୍କ ଆସ୍ଥା ଓ ବିଶ୍ୱାସର ସ୍ଥାନ | ଏଠାରେ ପିତୃପୁରୁଷଙ୍କୁ ପିଣ୍ଡ ଶ୍ରାଦ୍ଧ ଇତ୍ୟାଦି କର୍ମ ସହ ମହୋଦଧି ଆଳତି ମଧ୍ୟ କରାଯାଏ | ଏଭଳି ଏକ ପବିତ୍ର ସ୍ଥାନରେ ଖୋଲାଖୋଲି ମଦ୍ୟପାନ ବ୍ୟବସ୍ଥା କରିବା ଆମ ଧାର୍ମିକ ବିଶ୍ୱାସ ପ୍ରତି କୁଠାରଘାତ ସହ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ |

ଓଡ଼ିଶାରେ ସୁଦୀର୍ଘ 4 ଶହ କିଲୋମିଟର ରୁ ଉର୍ଦ୍ଧ୍ୱ ପର୍ଯ୍ୟଟନ ଉପଯୋଗୀ ବେଳାଭୂମି ରହିଛି | ପର୍ଯ୍ୟଟନ ନିମନ୍ତେ ସେସବୁ ସ୍ଥାନର ବିନିଯୋଗ ନକରି ପୁରୀ ବେଳାଭୂମିରେ ମଦ ବ୍ୟବସ୍ଥା କରି ମହୋଦଧିର ପବିତ୍ରତାକୁ ନଷ୍ଟ ନକରାଯାଉ | ଓଟିଡିସି ର ଏଭଳି ଐତିହ୍ୟ ବିରୋଧୀ କାର୍ଯ୍ୟକଳାପକୁ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଦୃଢ ବିରୋଧ କରାଯାଉଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଉଛି କି, ସେ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ | ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ପରିଷଦ ତରଫରୁ ଆୟୋଜିତ ପ୍ରତିବାଦ କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ ଯୁବପିଢ଼ି ଯୋଗ ଦେଇ ତୁରନ୍ତ ଏହି ବ୍ୟବସ୍ଥାକୁ ବାତିଲ କରିବା ଦାବି କରିଥିଲେ |

Exit mobile version