!! ଉପଭୋକ୍ତାଙ୍କୁ ଏମିତି ବେପରୱା ଉତ୍ତର ଦେଉଛନ୍ତି ଡିଲର !!
ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ଗରିବ ଲୋକଙ୍କୁ ପ୍ରଦାନ କରାଯାଉଥିବା ଜନକଲ୍ୟାଣ ସହାୟତାରେ ବ୍ୟାପକ ହେରଫେର ଓ ଦୁର୍ନୀତି ଯେପରି କାନଶୁଣା ହୋଇଗଲାଣି । ନା ଏଥିପ୍ରତି ଅଛି ସଚେତନତା ପଦକ୍ଷେପ କି ଦୃଷ୍ଟାନ୍ତ ମୂଳକ ଦଣ୍ତବିଧାନ । କୋଭିଡ ମହାମାରୀ ପରି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଇଥିବା ୪ ମାସର ମାଗଣା ରାସନ ସାମଗ୍ରୀ ଚାଉଳ, ଗହମ ଓ କିରୋସିନରୁ କି.ଗ୍ରା.ପ୍ରତି ଲୋକ ଦେଖି ୧୦୦ରୁ ୩୦୦ ଗ୍ରାମ ଭିତରେ ଡିଲର ମାନେ କାଟି ରଖୁଛନ୍ତି । ବାଙ୍କୀ ଡମପଡା ବ୍କକର ତାଳବସ୍ତ ଏବଂ ଦୁଲଣାପୁର ଗ୍ରା.ପର କଣ୍ଟ୍ରୋଲ ଡିଲର ଗଦାଧର ସାହୁ, ସନାତନ ସାହୁ, ମାଗୁଣୀ ସାହୁ, ଦାମୋଦର ସ୍ୱାଇଁ , ପ୍ରଦୋଶ ପ୍ରଧାନ ଏବଂ ନିତ୍ୟାନନ୍ଦ ସାହୁ ଲୋକଙ୍କ ସାମଗ୍ରୀରୁ ରାସନ କାଟୁଥିବାରୁ ପ୍ରଶ୍ନ ହେବାରୁ ନିରୀହ ଜନସାଧାରଣଙ୍କୁ ନାଲିଆଖି ଓ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରୁଛନ୍ତି । ରାସନ ବଣ୍ଟନ ବେଳେ ସରକାରଙ୍କ କୋଭିଡ ନିୟମକୁ ମଧ୍ୟ ପାଳନ କରୁ ନାହାନ୍ତି । କଣ୍ଟ୍ରୋଲ ଘରେ ରହୁନି ସାନିଟାଇଜାର କି ଉପଭୋକ୍ତାଙ୍କ ଭିତରେ ସାମାଜିକ ଦୂରତା । ଏପରିକି ଲୋକଙ୍କ ମଧ୍ୟରେ ମାସ୍କ ପିନ୍ଧିବାର ସଚେତନ ମନୋଭାବ ରହୁନି । ବହୁବର୍ଷ ଧରି ଡିଲର ହୋଇଥିବା ବ୍ୟକ୍ତିମାନେ ଏଠି ମନଇଛା ଆଧିପତ୍ୟ ବିସ୍ତାର କରୁଛନ୍ତି , ଶାସକ ଦଳର ନେତା ଓ କର୍ମୀଙ୍କ ସହିତ ସେମାନଙ୍କର ସଲାସୁତୁରା ଥିବାରୁ ବିଭାଗୀୟ ଧିକାରୀ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଛଘୁଞ୍ଚା ଦେଉଛନ୍ତି । ଶୁଣାଯାଉଛି ଏମାନେ ଆଗକୁ ଥିବା ପଞ୍ଚାୟତ ନିର୍ବାଚନରେ ଦଳୀୟ ପାଣ୍ଠିକୁ ସହାୟତା କରିବେ । ତେଣୁ ଲୋକଙ୍କ ଅଭିଯୋଗକୁ କେହିଏଠି କର୍ଣ୍ଣପାତ କରିବେ ନାହିଁ । ଜଣେ ଡିଲର ତାଳବସ୍ତ ସରପଞ୍ଚଙ୍କ ବାପା ହୋଇଥିବା ବେଳେ ଆଉ ଜଣେ ଦୁଲଣାପୁର ସରପଞ୍ଚଙ୍କ ନିଜ ଦାଦା ଅଟନ୍ତି । ଅରପୁର ଗ୍ରାମର ଡିଲର ହେଉଛନ୍ତି ଜଣେ ୱାର୍ଡମେମ୍ବରଙ୍କ ବାପା । ଅନ୍ୟ ତିନିଜଣ ଡିଲର ହେଉଛନ୍ତି ଶାସକ ଦଳର ପ୍ରମୂଖ ପଞ୍ଚାୟତ ମୂଖ୍ୟ । ଏସବୁ ଭିତରେ ଯୋଉଠି ବାଡ ଫସଲ ଖାଇବା , ସେଠି ଫାଇଭ ଟି ସରକାରଙ୍କ ସ୍ୱଚ୍ଛ ଶାସନ ଦେଖିବାକୁ ଆଶା ରଖିବା କେବଳ ବୋକାମୀ ଅଟେ । ବାଙ୍କୀ ଯୋଗାଣ ବିଭାଗର ଅଧିକାରୀ ମାନେ ଏହି ଡିଲର ମାନଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ଦେବାକୁ ଦୁଇ ପଞ୍ଚାୟତର ରାସନ ଉପଭୋକ୍ତା ମାନେ ଦାବୀ କରିଛନ୍ତି ।

