Site icon Awaj Media

କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥ ରପ୍ତାନି ବିକାଶ ଉପରେ ଆଲୋଚନା ଚକ୍ର !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟପଦାର୍ଥ ରପ୍ତାନି ବିକାଶ ପ୍ରାଧିକାରଣ (ଏପିଇଡିଏ) ବାଣିଜ୍ୟ ମନ୍ତ୍ରାଳୟ ଭାରତ ସରକାରଙ୍କ ଆନୁକୂଲ୍ୟରେ ସ୍ଥାନୀୟ ବାଲିଗୁଡା ସ୍ଥିତ ହୋଟେଲ ଵିଭବରେ କୃଷକ ଉତ୍ପାଦକ ସଂଗଠନ ଏବଂ ପ୍ରଗତିଶୀଳ କୃଷକମାନଙ୍କ ପାଇଁ ଓଡିଶା ମିଲେଟ ଉପରେ ଏକ କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରେ ସମ୍ବେଦନଶୀଳ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପ ଜିଲ୍ଲାପାଳ ତଥା ଆଇ.ଟି.ଡି.ଏ ର ପ୍ରକଳ୍ପ ପ୍ରଶାସକ ଡ଼.ଶୁଭଙ୍କର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ସମ୍ମିଳନୀରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ସହକାରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଅପିକୋଲ, ନାବାର୍ଡ, କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀ ଗଣ, ଓଡିଶା ତଥା ଝାଡଖଣ୍ଡରୁ ଆସିଥିବା ରପ୍ତାନି କାରକ, ଅଫପିଓ ଏବଂ ୬୫ ଜଣ ପ୍ରଗତିଶୀଳ କୃଷକ ମାନେ ଉପସ୍ଥିତ ଥିବା ବେଳେ ୩୦ରୁ ଉର୍ଦ୍ଧ ବ୍ୟକ୍ତିବିଶେଷ ଅନଲାଇନ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ l

ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆୟୋଜନ କରାଯାଇଛି ବୋଲି ଏପିଇଡିଏ ର କୋଲକାତା ସ୍ଥିତ କ୍ଷେତ୍ରୀୟ କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ସନ୍ଦୀପ ସାହା ପ୍ରକାଶ କରିଛନ୍ତି l ଓଡିଶାର ମିଲେଟ (କ୍ଷୁଦ୍ର ଶସ୍ୟ ଦାନା) ଚାଷୀମାନେ କିଭଳି ଉପାୟରେ ରପ୍ତାନି ଯୋଗ୍ୟ ମିଲେଟ ଚାଷ କରିପାରିବେ ଏବଂ ସେମାନଙ୍କୁ ଏହାର ଉଚିତ ମୂଲ୍ୟ ମିଳିପାରିବ ଏହାହିଁ ଉକ୍ତ ସମ୍ମିଳନୀର ମୂଳ ଉଦେଶ୍ୟ ଥିଲା l ଆପେଡା ଦିଲ୍ଲୀରୁ ଶ୍ରୀମତୀ ବିନିତା ସୁଧାଂଶୁ ପ୍ରାରମ୍ଭିକ ଉଦବୋଧନ ଦେଇ ଓଡିଶା ମିଲେଟ ମିଶନ (ଓଏମ୍ଏମ୍) ତଥା ରାଜ୍ୟ କୃଷି ବିଭାଗର ମିଳିତ ଉଦ୍ୟମରେ ଓଡିଶା ରାଜ୍ୟରୁ ନିକଟ ଭବିଷ୍ୟତରେ ଦେଶ ବାହାରକୁ ଉତ୍କୃଷ୍ଟମାନର ମିଲେଟ ରପ୍ତାନି ଦେଇପାରିବ l ଏପିଇଡିଏର ସୀତାକାନ୍ତ ମଣ୍ଡଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l କନ୍ଧମାଳ ଜିଲ୍ଲାରେ ମିଲେଟର ଉତ୍ପାଦନ ଏବଂ ଖାଦ୍ୟ ପ୍ରକ୍ରିୟାକରଣର ଯଥେଷ୍ଟ ସୁଯୋଗ ରହିଥିବାରୁ ଏଭଳି କାର୍ଯ୍ୟକ୍ରମର ସୁଦୂର ପ୍ରସାରୀ ପ୍ରଭାବ ରହିବ ବୋଲି ସମସ୍ତ ଅଂଶଗ୍ରହଣକାରୀ ଆଶାବାଦୀ ରହିଥିଲେ l ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀର ସଫଳ ଆୟୋଜନରେ ସ୍ଥାନୀୟ ସ୍ବେଛାସେବୀ ସଂଗଠନ ଶାନ୍ତିମୈତ୍ରୀ , ସ୍ଵାତି, କସମ୍ ର କର୍ମକର୍ତ୍ତା ହୋଟେଲ ବିଭବର ପରିଚାଳକ, କର୍ମଚାରୀ ଯଥେଷ୍ଟ ଉଦ୍ୟମ ଏବଂ ସହଯୋଗ କରିଥିଲେ l

Exit mobile version