Site icon Awaj Media

ଅନାଥ ପିଲାଙ୍କୁ ଆପଣାଇଲା ଗଜପତି ଜିଲ୍ଲା ପ୍ରଶାସନ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ପଞ୍ଚାୟତ ସମିତିର ରାୟଗଡ ଗ୍ରାମରେ ବାପା ମା ଙ୍କୁ ହରାଇଥିବା ଅନାଥ ଛୁଆଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚି ସେମାନଙ୍କ ଥଇଥାନ ବ୍ୟବସ୍ଥା କରିଛି । ୨୦୧୫ ରେ ମାଆ ସବିତା ପାପ୍ପୁରେଡି ଏବଂ ଏବେ ବାପା ତୋଫାନ୍ ପାପ୍ପୁରେଡିଙ୍କୁ ହରାଇଥିବା ଶିଶୁଙ୍କ ସମ୍ପର୍କରେ କିଛି ଖବର କାଗଜରେ ଖବର ପ୍ରକାଶ ପାଇଲା ପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଚାଇଲଡଲାଇନ୍ ର ଦୁଇ ଜଣ ସଦସ୍ୟ ଟି.ସୁରେଶ ଏବଂ ଗଙ୍ଗା ବଡରଇତ , ରାୟଗଡ ଗ୍ରାମରେ ପହଞ୍ଚି ଶିଶୁ ମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର ଆବଶ୍ୟକ କାଗଜପତ୍ର ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ରରୁ ସଂଗ୍ରହ କରିଥିଲେ । ପରବର୍ତ୍ତୀ ମୁହୁର୍ତ୍ତରେ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି , ଗଜପତିରେ ଉପସ୍ଥାପନ କରାଯାଇଥିଲା । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଶିଶୁ ମାନଙ୍କୁ ନିସାନ ସାଲୋମ ଶିଶୁ ଯତ୍ନ ଅନୁଷ୍ଠାନ, ଗୁମ୍ମାରେ ଥଇଥାନ କରାଯାଇଛି । ଶିଶୁ ମାନଙ୍କର ବୟସ ୧୨ ଏବଂ ୮ ବର୍ଷ ହୋଇଥିଲା ବେଳେ ସେମାନେ ରାୟଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୫ମ ଏବଂ ୨ୟ ଶ୍ରେଣୀରେ ପାଠ ପଢୁଥିଲେ । ବର୍ତ୍ତମାନ ସେମାନଙ୍କୁ ଗୁମ୍ମାର ସରକାରୀ ବିଦ୍ୟାଳୟରେ ନାମ ଲେଖାଯାଇ ସେମାନଙ୍କର ଶିକ୍ଷାକୁ ସୁନିଶ୍ଚିତ କରାଯିବ । ସେମାନଙ୍କର ସମସ୍ତ ଯତ୍ନ ଓ ସୁରକ୍ଷା ଜିଲ୍ଲା ପ୍ରଶାସନ ତରଫରୁ ନିଆଯିବ ଏବଂ ଆଶୀର୍ବାଦ ଯୋଜନାରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରି ମାସିକ ୧୦୦୦ ଟଙ୍କା ଲେଖାଏଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।

Exit mobile version