Site icon Awaj Media

ମେଧା ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ମିଳିବ ଆର୍ଥିକ ପ୍ରୋତ୍ସାହନ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡ଼ଗାଁ ବ୍ଲକ କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଣ୍ଡୋର ଠାରେ ଜୟଶ୍ରୀ ପାଣିଷଣ୍ଢ ଯୁବ ସଂସଦ ତରଫରୁ ଦେଶର ପଞ୍ଚସ୍ତରୀ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସୁନାମୁହିଁ, କୋମଣ୍ଡ ତଥା କୁରାଳ ଡାକ୍ତରଖାନାରେ ଲୋକଙ୍କୁ ସୁଷମ ସେବା ଯୋଗାଇ ସବୁରି ପ୍ରିୟପାତ୍ର ହୋଇପାରିଥିବା ଅବସର ପ୍ରାପ୍ତ କମ୍ପାଉଣ୍ଡର ବିଦ୍ୟାଧର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ସାଂପ୍ରତିକ ସମୟରେ ଗଣତନ୍ତ୍ର ରାଷ୍ଟ୍ରର ମର୍ଯ୍ୟାଦା, ଲୋକତନ୍ତ୍ର ବ୍ୟବସ୍ଥାର ଜନହୈତେଶୀ କାର୍ଯ୍ୟ ପନ୍ଥା ବିଷୟରେ ଆଲୋକପାତ କରିଥିଲେ । ଯୁବଗୋଷ୍ଠୀର ରାଷ୍ଟ୍ର ପ୍ରତି ଦାୟିତ୍ୱବୋଧ ଉପରେ ସମ୍ୟକ ସୂଚନା ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ କୋମଣ୍ଡ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ସାହିତ୍ୟାଚାର୍ଯ୍ୟ ପଣ୍ଡିତ ଭରତ ସାହାଣୀ , ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀ, ଗୋପବନ୍ଧୁ, ସହିଦ ରଘୁ-ଦିବାକରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରି ଯୁବ ପିଢ଼ି ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଆଉ ଜାତିର ଟେକ ରଖନ୍ତୁ ବୋଲି ଉପଦେଶ ଦେଇଥିଲେ । ଯୁବ ସଂସଦର ସଭ୍ୟ ଦୀପ୍ତି ରଞ୍ଜନ ରାଉତ, ଦେବୀପ୍ରସାଦ ସାହାଣୀ, ତ୍ରିପତି କୁମାର ପଣ୍ଡା, ଶୁଭାଶିଷ ସାହାଣୀ ଏବଂ ଶିଶିର କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିଶିର କୁମାର ପଣ୍ଡା ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଗ୍ରାମର ମେଧାବୀ ଛାତ୍ର/ ଛାତ୍ରୀଙ୍କୁ ପ୍ରତିବର୍ଷ ପାଞ୍ଚଶହ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

Exit mobile version