Site icon Awaj Media

ସୀମା ଟପିଲା ମନମୁଖୀ କାରବାର : ଜରଦଗବଙ୍କ ବିରୋଧରେ ମେଳି ହେଲେ ବାଙ୍କୀର ଯୁବ ସାମ୍ବାଦିକ !!!

Spread the love

ଗଠିତ ହେଲା ମା ଚର୍ଚ୍ଚିକା ସାମ୍ବାଦିକ ସଂଘ

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମୁଁ କ୍ଳାସରେ ଥାର୍ଡ଼ ହେଇଛି , ବୁଝିବା ବେଳକୁ ଶ୍ରେଣୀରେ ମୋଟ ୩ ଜଣ ପିଲା . ଏଇ ନୀତିରେ ଚାଲିଛି ବାଙ୍କୀ ପ୍ରେସ କ୍ଲବ . ମୋଟ ମେମ୍ବର ପାଞ୍ଚ . କମିଟିର ସଦସ୍ୟ ବି ୫ . ଜଣେ ସଭାପତି , ଆଉ ଜଣେ ଉପ ସଭାପତି , ବାକି ୩ ପଦବୀକୁ ବାଣ୍ଟିକୁଣ୍ଟି ଜାବୁଡି ଧରିଛନ୍ତି ବଳକା ୩ . ଦିନେ କି ସପ୍ତାହେ ନୂହେଁ , ମାସେ କି ବର୍ଷେ ନୁହେଁ – ପୁରା ଦଶନ୍ଧି ଦଶନ୍ଧି ଧରି ଚାଲିଥିଲା ଏମିତିଆ ତାମସା . ନୂତନ ସଭ୍ୟ ଗ୍ରହଣ ପାଇଁ ଟାଳଟୁଳ ନୀତି , ମନମୁଖୀ କାରବାର , ରାଜନୈତିକ ଦଳର ଗୋଡାଣିଆ ହୋଇ କାମଳ ସାମ୍ବାଦିକତା ଏବଂ ସର୍ବୋପରି ଅସ୍ପଷ୍ଟ ବ୍ୟାକଡୋର ପଲିସୀରେ ଅତିଷ୍ଠ ହୋଇ ଜରଦଗବଙ୍କ ବିରୋଧରେ ମେଳି ହେଲେ ବାଙ୍କୀ ଉପଖଣ୍ଡର ଯୁବ ସାମ୍ବାଦିକ . ପ୍ରସିଦ୍ଧ ଶକ୍ତିପୀଠ ମା ଚର୍ଚ୍ଚିକାଙ୍କ ମନ୍ଦିର ପରିସରରେ ଆୟୋଜିତ ପ୍ରଥମ କାର୍ଯ୍ୟକାରିଣୀ ବୈଠକରେ ନୂତନ ସଂଘର ନାମକରଣ , କାର୍ଯ୍ୟକାରୀ କମିଟି ଗଠନ ଏବଂ ସଂଗଠନର ନୀତି ସ୍ପଷ୍ଟ କରି ଯୁଦ୍ଧମ ଦେହି ଡାକରା ଦେଲେ ବାଙ୍କୀର ଯୁବ ସାମ୍ବାଦିକ .

ବାଙ୍କୀ ଉପଖଣ୍ଡର ବିଭିନ୍ନ ଛାପା , ବୈଦ୍ୟୁତିକ ଏବଂ ଡିଜିଟାଲ ମିଡିଆରେ କାର୍ଯ୍ୟରତ ପ୍ରତିନିଧି ମାନେ ଚର୍ଚ୍ଚିକା ମନ୍ଦିର ପରିସରରେ ଆୟୋଜିତ ବୈଠକରେ ଉପସ୍ଥିତ ରହି ନୂତନ ସଂଘ ଗଠନ ପ୍ରସ୍ତାବକୁ ସମର୍ଥନ କରିବା ସହିତ ସଂଗଠନର ଅନୁଶାସନକୁ ମାନି ଶୃଙ୍ଖଳିତ ଭାବରେ ନିଜର କାର୍ଯ୍ୟ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି . ଦୀର୍ଘ ବର୍ଷ ଧରି ବାଙ୍କୀର ସାମ୍ବାଦିକ ସଂଘ ଥିଲେ ସୁଦ୍ଧା ଗଣମାଧ୍ୟମ ପ୍ରତିନିଧି ମାନଙ୍କର ହିତ ସାଧନ ଦିଗରେ ଏହାର କାର୍ଯ୍ୟପନ୍ଥା ନୈରାଶ୍ୟଜନକ ହୋଇଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା କଥା ପ୍ରକାଶ କରିଛନ୍ତି ବୈଠକର ଆବାହକ ମନୋଜ କୁମାର ଦଳେଇ . ବାଙ୍କୀ ପ୍ରେସ କ୍ଲବ ର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ଏକ ଘର ଯୋଗାଇ ଦିଆ ଯାଇଥିବା ବେଳେ ବିଭିନ୍ନ ସମୟରେ ନିର୍ବାଚିତ ବିଧାୟକଙ୍କ ଅନୁଦାନରେ ଗୃହ ସମ୍ପ୍ରସାରଣ ଏବଂ ଆସବାବ ପତ୍ର କ୍ରୟ କରାଯାଇଛି . ହେଲେ ତାହା ସାମ୍ବାଦିକଙ୍କ କାମରେ ଆସୁନାହିଁ . ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାଙ୍କୁ ଡାକି ରକ୍ତଦାନ ଶିବିର ନହେଲେ କାଁ ଭାଁ କେବେ ସମ୍ବର୍ଦ୍ଧନା ପର୍ବ , ଏତିକିରେ ସୀମିତ ଅଛି ପ୍ରେସ କ୍ଲବ ର କାର୍ଯ୍ୟକ୍ରମ . କାର୍ଯ୍ୟରତ ସାମ୍ବାଦିକଙ୍କ କଲ୍ୟାଣ ତ ଦୂରର କଥା , ନୂତନ ସଭ୍ୟ ଗ୍ରହଣ ପାଇଁ କୁନ୍ଥାଉଛନ୍ତି ପଦବୀ ମାଡି ବସିଥିବା ଲୋକେ . କାଳେ ସଭ୍ୟ ବଢିଲେ ନିର୍ବାଚନ କଥା ଉଠିବ , ଆଉ ନିଜ ପଦବୀ ଚାଲିଯିବ – ଖାସ ଏଇ ଡରରେ ନୂତନ ସଦସ୍ୟ ଗ୍ରହଣ କୁ ଏଡାଇ ଚାଲିଛନ୍ତି ଅଶୀ ମସିହାର ବ୍ରାଣ୍ଡ ସବୁ . ହେଲେ ଯୁଗ ବଦଳିଲାଣି , ଆଉ ସେ କାଳର କଲମ କାଗଜ କାଳି ସାମ୍ବାଦିକତା ନାହିଁ କି , ତେଲମରା ଚାପୁଲୂସୀ ଖବର ପରିବେଷଣ ନାହିଁ . ସୂଚନା ପ୍ରଯୁକ୍ତି ବିଦ୍ୟାର ଉନ୍ନତି ସାଙ୍ଗେ ତାଳ ଦେଇ ବଦଳିଛି ସାମ୍ବାଦିକତାର ପରିଭାଷା . ଆଙ୍ଗୁଠି ଆଗରେ ପୁରା ବିଶ୍ୱର ଖବର . ଛାପିବା ବଦଳରେ ଚାପିବା କାମ କରିବା ବଡ କଷ୍ଟ , ସବୁ ଖବର କୁ ଆଖି ପିଛୁଳାକେ ଦେଖାଇଦେଉଛି ଡ଼ିଜିଟାଲ ମିଡ଼ିଆ . ତେବେ ବାଙ୍କୀର ଯୁବ ସାମ୍ବାଦିକ ମାନେ ଏକତ୍ରିତ ହେବା , ବାଙ୍କୀ ଅଂଚଳର ସାମୁହିକ ସ୍ୱାର୍ଥ ପାଇଁ ଶୁଭଙ୍କର ବୋଲି ମତାମତ ଦେଇଛନ୍ତି ବହୁ ବୁଦ୍ଧିଜୀବୀ . ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ପାଇଁ , ଅଞ୍ଚଳର ହିତ ସାଧନା ପାଇଁ ଗଣମାଧ୍ୟମ ତାର କାଲାମ ଚାଳନା କରିବା ଦରକାର ବୋଲି ଅନେକ ସ୍ଥାନୀୟ ଚିନ୍ତାଶୀଳ ବ୍ୟକ୍ତିତ୍ୱ ମତବ୍ୟକ୍ତ କରିଛନ୍ତି .

Exit mobile version