ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗଜପତି । ଏଠାକାର ମୁଖ୍ୟ ଜୀବନ ଜୀବିକା ହେଉଛି କୃଷି । ଜିଲ୍ଲାରେ 70 ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଚଳିଥାନ୍ତି । ଜିଲ୍ଲାରେ 7 ଟି ବ୍ଳକ ମଧ୍ୟରୁ କାଶୀ ନଗର ଏବଂ ଗୋଶାଣି ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ । ଚାଷୀ ବର୍ତ୍ତମାନ ଖରିଫ ଋତୁରେ ଧାନ ଚାଷ କରିଥିବା ସମୟରେ ସାରର ଅଭାବ ସାଙ୍ଗକୁ କଳା ବଜାରୀ ବୃଦ୍ଧି ପାଇଛି । ଏହାକୁ ନିୟନ୍ତ୍ରଣ କରିବାରେ କୃଷି ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଥିବାର ଦେଖାଯାଇଛି । ଯାହା ଫଳରେ ଚାଷୀ ବହୁତ ହଇରାଣ ହେବା ସାଙ୍ଗକୁ ଅଧିକା ଟଙ୍କା ଦେଇ ସାର କ୍ରୟ କରିବାକୁ ପଡୁଛି । ଦୀର୍ଘ ଦିନ ସମସ୍ୟା ଲାଗି ରହିବା କାରଣରୁ , ଚାଷ କାର୍ଯ୍ୟରୁ ବିମୁଖ ହୋଇ ନିଜ ଜମି ଭାଗ ଚାଷ ଦେଇ ନିଜ ଜୀବନ ଜୀବିକା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛି ଚାଷୀ । ଏଥି ସକାଶେ ରାଜ୍ୟ ସରକାର ହେଉ ବା ଜିଲ୍ଲା ପ୍ରଶାସନ ହେଉ ତୁରନ୍ତ ପଦକ୍ଷେପ ନେଲେ ଚାଷୀ କୁଳ ଉପକୃତ ହେବେ ବୋଲି ଆଶା କରାଯାଉଛି । ପ୍ରକାଶ ଥାଉକି ଗତ କାଲି 46 ତମ ଜିଲ୍ଲା ପରିଷଦ ବୈଠକରେ କୃଷି ବିଭାଗକୁ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନେ ବଜାରରେ ସାରର କଳା ବଜାରୀ ହେଉଥିବାର ଉପରେ ତଥ୍ୟ ଉପସ୍ଥାପନ କରିଥିଲେ ମଧ୍ୟ ତା ଉପରେ କୃଷି ବିଭାଗ ବର୍ତ୍ତମାନ ପର୍ଯ୍ୟନ୍ତ କୋୖଣସି ପଦକ୍ଷେପ ନ ନେଇ ନିଦା ବିଷ୍ଣୁ ପାଲଟି ଥିବା ର ଦେଖିବାକୁ ମିଳିଛି ।
ଗଜପତି ଜିଲ୍ଲାରେ ବଢି ଚାଲିଛି ସାର କଳା ବଜାରୀ : କୋମାରେ କୃଷି ବିଭାଗ !!!

