Site icon Awaj Media

ସାରା ରାଜ୍ୟରେ ଚମକିଲେ ବାଣପୁର ଛାତ୍ରୀ ସାଇସ୍ୱପ୍ନା !!!

Spread the love

ଓଜେଇଇ ଏମ.ଟେକରେ ହେଲେ ଓଡ଼ିଶା ଟପ୍ପର

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାରା ଓଡ଼ିଶାରେ ବାଣପୁର ର ନାମକୁ ଗୌରବାନ୍ୱିତ କଲେ ଛାତ୍ରୀ ସାଇସ୍ୱପ୍ନା । ନିକଟରେ ୨୦୨୧ ଶିକ୍ଷାବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ପ୍ରକାଶ ପାଇଛି । ଯେଉଁଥିରେ ପ୍ଲାଷ୍ଟିକ ଇଂଜିନିୟରିଙ୍ଗରେ ଏମ.ଟେକ ବିଭାଗରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଛାତ୍ରୀ ସାଇସ୍ୱପ୍ନା ରାଉତରାୟ ଓଡ଼ିଶା ଟପ୍ପର ହୋଇଛନ୍ତି । ସାଇସ୍ୱପ୍ନା ହେଉଛନ୍ତି ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବନ୍ଧମୁଣ୍ଡେଇ ଗ୍ରାମର ଶିକ୍ଷକ ରାଜକିଶୋର ରାଉତରାୟ ଏବଂ ବିନୋଦିନୀ ରାଉତରାୟଙ୍କର ଝିଅ । ସାଇସ୍ୱପ୍ନା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ରସାୟନ ବିଜ୍ଞାନ (ସମ୍ମାନ ) ରେ ସ୍ନାତକ କରିଥିବା ବେଳେ ଭୁବନେଶ୍ୱର ସ୍ଥିତ ସିପେଟ-ଆଇପିଟି କଲେଜରୁ ପଲିମର ସାଇନ୍ସରେ ସ୍ନାତକୋତ୍ତର କରିଛନ୍ତି । ସାଇସ୍ୱପ୍ନା ପିଲାଟି ଦିନରୁ ମେଧାବୀ ଛାତ୍ରୀ ରହିଥିବା ବେଳେ ସମସ୍ତ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଆସୁଛନ୍ତି । ତେବେ ସ୍ନାତକୋତ୍ତର ପରେ ପ୍ଲାଷ୍ଟିକ ଇଞ୍ଜିନିଅରିଙ୍ଗ ବିଷୟରେ ଉଚ୍ଚଶିକ୍ଷା ନିମନ୍ତେ ସାଇସ୍ୱପ୍ନା ଏମ.ଟେକ (ଓଜେଇଇ) ରେ ସଫଳ ହେବା ପାଇଁ ବହୁ ପରିଶ୍ରମ କରିଥିବାର ପ୍ରକାଶ କରିଛନ୍ତି । ପରିଶ୍ରମର ଫଳ ସଦା ବେଳେ ସୁଧମୂଳ ସହ ମିଳିଥାଏ ବୋଲି ସାଇସ୍ୱପ୍ନା କହିଛନ୍ତି ।ବର୍ତ୍ତମାନ ସେ ତାଙ୍କ ମନ ପସନ୍ଦ ଶିକ୍ଷାନୁଷ୍ଠାନରୁ ପ୍ଲାଷ୍ଟିକ ଇଞ୍ଜିନିଅରିଙ୍ଗ କିମ୍ବା କେମିକାଲ ଇଞ୍ଜିନିଅରିଙ୍ଗରେ ଏମ.ଟେକ କରିବେ ଏବଂ ଭବିଷ୍ୟତରେ ଏ କ୍ଷେତ୍ରରେ ଅଧିକ ଗବେଷଣା କରିବା ସହ ନିଜକୁ ଜଣେ ସଫଳ ରିସର୍ଚ୍ଚ ସ୍କଲାର ଭାବେ ସମଗ୍ର ଦେଶ ସାମ୍ନାରେ ଉପସ୍ଥାପିତ କରିବାକୁ ଲକ୍ଷ୍ୟ ରଖିଥିବାର ପ୍ରକାଶ କରିଛନ୍ତି ସାଇସ୍ୱପ୍ନା । ତେବେ ଏ ଖବର ପ୍ରଚାରିତା ହେବା ପରେ ସମଗ୍ର ଚିଲିକା ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ସାଇସ୍ୱପ୍ନାଙ୍କ ନିକଟକୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି ।

Exit mobile version