Site icon Awaj Media

ବାଣପୁର ମା’ଭଗବତୀଙ୍କ ପୀଠରେ ମହାନବମୀ ପାଳିତ !

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ଅନ୍ୟତମ ପ୍ରମୂଖ ଶକ୍ତିପୀଠ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ଭଗବତୀଙ୍କ ଷୋଡଶ ଦିବସାତ୍ମକ ପୂଜା ଅତି ନିରାଡ଼ମ୍ବର ଭାବେ ସମାପନ ହୋଇଯାଇଛି । ଗତକାଲି ପିଠେ ମହାନବମୀରେ ପ୍ରଥମେ ଦ୍ୱାରପୂଜା, ନିର୍ମାଲ୍ୟ ସମର୍ପଣ, ସୂର୍ଯ୍ୟପୂଜା, ସପ୍ତଶତୀ ଚଣ୍ଡିପାଠ, ଷୋଡଶ ଉପଚାରରେ ମା’ ଙ୍କୁ ପୂଜା କରାଯାଇଥିଲା । ସନ୍ଧ୍ୟାରେ ଆରତୀ ଦର୍ଶନ ସହ “ମା” ଙ୍କର ନବକଳସ ପୂଜା ସହିତ ନବ ଦେବତାଙ୍କୁ ନଅ ପ୍ରକାର ପୂଜା କରାଯାଇ ସମାଜ ମଙ୍ଗଳ ନିମନ୍ତେ ନବକାରକ (ଧର୍ମ, ଅର୍ଥ, କାମ, ମୋକ୍ଷ, ସତ୍ୟ, ଶାନ୍ତି,ଦୟା, କ୍ଷମା ଏବଂ ଦୀର୍ଘାୟୁ) କାମନା କରି ମହାମାୟା ମନ୍ତ୍ରରେ ମା’ ଙ୍କୁ ପୂଜା କରାଯାଇଥିଲା । ମା’ ଭଗବତୀ ମହାମାୟା ବେଶ ଧାରଣ କରି ମଧ୍ୟରାତ୍ରୀ କାଳୀନ ସନ୍ଧିପୂଜା ବା ଗୁପ୍ତପୂଜା ସହ ପଞ୍ଚ “ମ” କାରରେ ଏକଦିନାତ୍ମକ ପୂଜା ପାଇଥିଲେ । ଏବଂ ଶେଷରେ ଶାନ୍ତି ଆରତୀ ଦର୍ଶନ ହୋଇଥିଲା । ଅଦ୍ୟ ପିଠେ ବିଶ୍ରାମ ହେତୁ ଆଜି ଶୁଖ ଶାନ୍ତି ନିମନ୍ତେ ମା’ଙ୍କର ଦର୍ଶନ ହୋଇଛି । ଆସନ୍ତାକାଲି ମା’ଙ୍କର ଦଶହରା ଏବଂ ପିଠେ ଦଶମୀ ରେ ଭକ୍ତ ମାନଙ୍କୁ ଦର୍ଶନ ଦେବାପାଇଁ ମା’ ଅପରାଜିତା ବେଶରେ ସଜ୍ଜିତ ହୋଇ ପୂଜକ ବାବନ ଚନ୍ଦ୍ର ଦାଶଙ୍କ ଦ୍ଵାରା ଅପରାଜିତା ସ୍ତ୍ରୋତ ପାଠ କରାଯାଇ ମା’ ଅପରାଜିତା ପୂଜାରେ ପୂଜିତ ହେବେ । ସରକାରଙ୍କ କୋଭିଡ ନିୟମକୁ ମନ୍ଦିରର ସମସ୍ତ ଛତିଶା ନିଯୋଗ ସଦସ୍ୟ କଡାକଡି ଭାବେ ଅନୁପାଳନ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ । ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ପ୍ରଶାସନ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ମିଳିଥିବା ବେଳେ, ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛି ।

Exit mobile version