ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି . ୫ମ ଢେଙ୍କାନାଳ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଗତକାଲି ଠାରୁ ଆରମ୍ଭ ହୋଇଛି । ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ଶୁକ୍ରବାର ଠାରୁ ଢେଙ୍କାନାଳ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ଶିବା ଶୁଭ୍ରମଣି ଟୁର୍ଣ୍ଣାମେଣ୍ଟ ର ଆନୁଷ୍ଠାନିକ ଉଦଘାଟନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଢେଙ୍କାନାଳ ପୌରନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ର ସଭାପତି ମଳୟ ପଟ୍ଟନାୟକ ଓ ସମ୍ପାଦକ ଟଙ୍କଧର ବେହେରା , ଅମିତ ଶତପଥି ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ଏହି ଉତ୍ସବକୁ ପରିଚାଳନା କରିଥିଲେ ।
ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି ଟୁର୍ଣ୍ଣାମେଣ୍ଟ ଚାଲିବ । ଟୁର୍ଣ୍ଣାମେଣ୍ଟ ରେ ଢେଙ୍କାନାଳ ଜିଲ୍ଲାର ଓମେନ୍ସ ସିଙ୍ଗଲସ, ୧୯ବର୍ଷରୁ କମ ବାଳକ ଉଭୟ ସିଙ୍ଗଲସ ଓ ଡ଼ବଲସ , ମେନ ଉଭୟ ସିଙ୍ଗଲସ ଓ ଡ଼ବଲସ ଓ ୩୫ ବର୍ଷରୁ ଉର୍ଦ୍ଧ୍ୱ ଭେଟରାନ ଡ଼ବଲସ ଏପରି ୬ଟି ବିଭାଗରେ ଖେଳ ଆୟୋଜିତ ହେବ । ଢେଙ୍କାନାଳ ଜିଲ୍ଲାର ଲୁକାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବା ଦିଗରେ ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ଏପରି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରି ପ୍ରୟାସ ଜାରି ରଖିଛି । ଏଥିପାଇଁ ବିଗତ ୪ବର୍ଷ ଧରି ଢେଙ୍କାନାଳରେ ଜିଲ୍ଲା ଓ ଆନ୍ତଃଜିଲ୍ଲା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଆସୁଛି । ଟୁର୍ଣ୍ଣାମେଣ୍ଟ ଅବସରରେ ଅଂଶ ଗ୍ରହଣ କରୁଥିବା ଉଭୟ ଖେଳାଳି ଓ ଆୟୋଜକ ମାନେ କୋଭିଡ କଟକଣା କୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିଥିବା ଖେଳାଳି ମାନେ ଆୟୋଜକଙ୍କ ଏପରି ଉଦ୍ୟମକୁ ସାଧୁବାଦ ଜଣାଇଥିବା ସହ ବେଶ ଉତ୍ସାହିତ ହୋଇ ପଡିଛନ୍ତି ବୋଲି ଜିଲ୍ଲା ବ୍ୟାଡମିଣ୍ଟନ ଆସୋସିଏସନ ର ସାଧାରଣ ସମ୍ପାଦକ ଟଙ୍କଧର ବେହେରା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

