Site icon Awaj Media

ଦୁର୍ଘଟଣା ଜନିତ ବୀମା ସହାୟତା ରାଶି ପ୍ରଦାନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଗତବର୍ଷ ସର୍ପାଘାତରେ ମୃତ୍ୟୁବରଣ କରିଥିବା ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟ +୩ ତୃତୀୟ ବର୍ଷ ଛାତ୍ର ଦୀପକ କୁମାର ମହାପାତ୍ରଙ୍କ ପିତା ମାଣିକାଗୋଡା ଗ୍ରାମର ଜନାର୍ଦ୍ଦନ ମହାପାତ୍ରଙ୍କୁ ସୋମବାର ଦିନ ନିଉ ଇଣ୍ଡିଆ ଇନସିଓରାନ୍ସ କମ୍ପାନୀ ପକ୍ଷରୁ ୧ ଲକ୍ଷ ଟଙ୍କାର ବୀମା ସହାୟତା ରାଶି ପ୍ରଦାନ କରାଯାଇଛି । ଏ ନେଇ ଅପରାହ୍ନରେ କଲେଜ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଏଥିରେ ଭୁବନେଶ୍ୱର ମଣ୍ଡଳ (୧) ର ବରିଷ୍ଠ ପ୍ରବନ୍ଧକ କ୍ଷୀରୋଦ କୁମାର ବେହେରା ବିଶେଷ ଅତିଥି ଭାବେ ଯୋଗ ଦେଇ ଏହି ଦୁର୍ଘଟଣା ଜନିତ ଛାତ୍ର ସୁରକ୍ଷା ବୀମା ସହାୟତା ରାଶିକୁ ମୃତକଙ୍କ ପିତାଙ୍କୁ ହସ୍ତାନ୍ତର କରିଥିଲେ । ଏହି ସହାୟତା ରାଶି ସାମାଜିକ ସୁରକ୍ଷାର ଏକ ବଳିଷ୍ଠ ସାଧନ ହୋଇଥିବାରୁ ଏ ସମ୍ବନ୍ଧୀୟ ଦୁର୍ଘଟଣା ଜନିତ ଘଟଣାକୁ ସଠିକ ଢ଼ଙ୍ଗରେ କମ୍ପାନୀ ନିକଟରେ ଉପସ୍ଥାପନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ହେମନ୍ତ ମହାପାତ୍ର, ଜୟନ୍ତ କୁମାର ବିଶ୍ୱାଳ ,କର୍ମୋଦୟ ଛୋଟରାୟ, ଅଧ୍ୟାପକ ଗାନ୍ଧୀ କୁମାର ସାହୁ, ମିନୁସ ମଲ୍ଲିକ, ମୁଖ୍ୟ କିରାଣୀ ସତ୍ୟବ୍ରତ ମହାପାତ୍ର ଓ କମ୍ପାନୀ ପ୍ରତିନିଧି ବିନୟ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version