ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ଠାରେ ସାମାଜିକ ସଂଗଠନ “ମାଟିର ସ୍ୱର ” ତରଫରୁ ଚନ୍ଦ୍ର ବିଜୟୀ ମିଶ୍ର ଏବଂ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ ଙ୍କ ସଂଯୋଜନାରେ “ସମାଜ ପରିବର୍ତ୍ତନ କ୍ଷେତ୍ରରେ ସାହିତ୍ୟର ଭୂମିକା” ଶୀର୍ଷକ ରାଜ୍ୟ ସ୍ତରୀୟ ଭର୍ଚୁଆଲ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ଓଡିଶାର ବିଭିନ୍ନ ପ୍ରାନ୍ତର ରୁ ୩୦ ଜଣ ଲେଖକ ଲେଖିକା, ସମୀକ୍ଷକ, ସ୍ତମ୍ଭକାର, ସମାଜସେବୀ, ସୁସାହିତ୍ୟିକ, ସାମାଜିକ କର୍ମୀ ଓ ସାହିତ୍ୟନୁରାଗୀ ଯୋଗଦାନ କରି ସମାଜ ପରିବର୍ତ୍ତନରେ ସାହିତ୍ୟର ଭୂମିକା ବିଷୟରେ ଗୁରୁତ୍ୱପୂର୍ଣ୍ଣ ମତାମତ ଉପସ୍ଥାପନ କରିଥିଲେ । ସଂଗଠନର ସଂଯୋଜକ ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ ସଂଗଠନର ଆଭିମୁଖ୍ୟ ଓ ଉକ୍ତ ବିଷୟଟିର ପୃଷ୍ଠଭୂମି ବିଷୟରେ ଏବଂ ଏ ଆଲୋଚନାର ଆଜିର ଦିନରେ ଥିବା ପ୍ରାସଙ୍ଗିକତା ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ବନ୍ଦନା ମିଶ୍ର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ମୁଖ୍ୟ ଆଲୋଚକ ବିପ୍ଳବୀ କବି ଚନ୍ଦ୍ର ବିଜୟୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ, ରାମାୟଣ, ମହାଭାରତ ଓ ଭାଗବତ ପରି ଗ୍ରନ୍ଥ ଏ ସମାଜ ସଂସ୍କାର ଆଣିବା ପାଇଁ ଅନେକ ଗଠନ ମୂଳକ ବାର୍ତ୍ତା ଦେଇଛି । ସାହିତ୍ୟ ସମାଜର ଜନ ଜୀବନର ପରିବର୍ତ୍ତନର ସ୍ଵର ଏବଂ ସମାଜର ବାସ୍ତବ ପ୍ରତିବିମ୍ବ । ସାହିତ୍ୟ ଜୀବନ ଜୀବିକାର ମାନଦଣ୍ଡ । ସର୍ବୋପରି କବି ବ୍ରଜନାଥ ରଥ, ଫକୀର ମୋହନ ସେନାପତି ଏବଂ ରବି ସିଂ ଙ୍କ ସାହିତ୍ୟ କୃତି ଏ ସମାଜରେ ଥିବା ଛୁଆଁ ଅଛୁଆଁ ଭେଦଭାବ, ନାରୀ ନିର୍ଯାତନା, ଅସମତା ବିରୋଧରେ ଅନେକ ଚେତାବନୀ ଦେଉଥିବା ଜୀବନ୍ତ ଏବଂ ପରିବର୍ତ୍ତନର ଆହ୍ୱାନ ମୂଳକ ସାହିତ୍ୟ କୃତିକୁ କେହି ଭୁଲି ପାରିବେ ନାହିଁ । ସାରସ୍ୱତ ସାହିତ୍ୟ, ପୁସ୍ତକ ଓ ଉପନ୍ୟାସ ଇତ୍ୟାଦି ଏ ସମାଜକୁ ଅନେକ ପ୍ରେରଣା ଦେଇଛି ଏବଂ ପ୍ରଭାବିତ କରିଛି ମଧ୍ୟ । ଫ୍ରେଞ୍ଚ ରିଭ୍ୟୁଲେସନ ପରି ଅନେକ ଆନ୍ଦୋଳନର ଇତିହାସ ଏହାର ମୂକସାକ୍ଷୀ । ଜାତୀୟ ଜୀବନ ଓ ଜାତୀୟତାବାଦର ପରିଚୟ ହେଉଛି ସାହିତ୍ୟ । ସାହିତ୍ୟ ବିନା ସମାଜ ମୂଲ୍ୟହୀନ । ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ଟୋପାଏ ଲୁଣ ପାଇଁ ୧୯୩୦ ମସିହାରେ ଏ ଦେଶରେ ଲବଣ ସତ୍ୟାଗ୍ରହ ପରି ଏକ ମହାନ୍ ଆନ୍ଦୋଳନ ସଂଗଠିତ ହୋଇଥିଲା । ତେଣୁ ସମାଜ ସଂସ୍କାରକ ଓ ସାରସ୍ୱତ ସାହିତ୍ୟିକ ମାନଙ୍କ ପ୍ରତିଟି ଶବ୍ଦ ଓ ସାହିତ୍ୟ ଏ ସମାଜର ପରିବର୍ତ୍ତନରେ ଅନେକ ଭୂମିକା ରହିଛି । ସେ ସାହିତ୍ୟ ବଞ୍ଚବ ଯେଉଁ ସାହିତ୍ୟରେ ଏ ସମାଜର ପ୍ରତିଟି କଥା ଓ ବ୍ୟଥା ପ୍ରତିଫଳିତ ହେଉଥିବ । ଅନ୍ୟତମ ଆଲୋଚକ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ ସାହିତ୍ୟ ଏ ସମାଜକୁ ସମୃଦ୍ଧ କରିବା ସହ ସଠିକ ମାର୍ଗରେ ପରିଚାଳିତ କରିବା ଏବଂ ଠିକଣା ବାଟରେ ସମାଜକୁ ପରିଚାଳନ କରିବାରେ ସହାୟକ ହୋଇଥିବା ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରେଣୀ ବିହୀନ ସମାଜ ପ୍ରତିଷ୍ଠା କରିବା କ୍ଷେତ୍ରରେ ସାହିତ୍ୟର ଅବଦାନ ଅନନ୍ୟ । ମଣିଷର ଅକୁହା କଥା, ଯନ୍ତ୍ରଣା, ବେଦନା, ଶୋଷଣ, ଅତ୍ୟାଚାର ସାହିତ୍ୟ ହିଁ ଲୋକ ଲୋଚନକୁ ଆଣିଥାଏ । ଉଚ୍ଚ ନୀଚ୍ଚ ଭେଦଭାବର ଦୁର୍ବାର ପ୍ରାଚୀର ପ୍ରଗତିବାଦୀ ସାହିତ୍ୟ ଓ ସାହିତ୍ୟିକଙ୍କ ଶବ୍ଦ ତଥା ତାଙ୍କ କଲମ ମୂନରେ ଧ୍ୱଂସ ହୋଇଥାଏ । ସାହିତ୍ୟ ଏ ଦିଗଭ୍ରଷ୍ଟ ସମାଜରେ ସମ୍ମାନ ଓ ସ୍ୱାଭିମାନ ର ବାର୍ତ୍ତା ଦିଏ, ସଂସ୍କାର ଶିଖାଏ, ଭାଇଚାରା ସ୍ଥାପନ କରାଏ, ଜନଗଣଙ୍କୁ ଚେତବନୀ ଦିଏ, ଜାଗ୍ରତ କରାଏ ଏବଂ ସାହିତ୍ୟ ଏ ସମାଜର ପରିବର୍ତ୍ତନର ପ୍ରତିବିମ୍ବ । ତେଣୁ ସାହିତ୍ୟ ସାଧାରଣ ମଣିଷର ସ୍ୱର ଓ ସ୍ୱାକ୍ଷର ହେବା ଆବଶ୍ୟକ । ସର୍ବୋପରି କୃଷି ବିଶେଷଜ୍ଞ ବିଦ୍ୟାଧର ମହାରଣା, ବରିଷ୍ଠ ସ୍ତମ୍ଭକାର ଓ ସମାଜସେବୀ ସୁଦର୍ଶନ ଛୋଟରାୟ, ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର, ସନ୍ତୋଷ ସାହୁ, ସାନ୍ତନୁ ବିଶୋଇ, ନାରାୟଣ ସାହୁ, ରୋହିତ ଜେନା, ଶ୍ରୀକାନ୍ତ ପଣ୍ଡା, ସନ୍ତୋଷ ସାହୁ , ବନ୍ଦନା ମିଶ୍ର, ଶ୍ରୀମତୀ ଲୋପା ମିଶ୍ର, କୁମାରୀ ଶ୍ରଦ୍ଧାଞ୍ଜଳି ମହାନ୍ତି ଇତ୍ୟାଦି ନିଜ ନିଜର ବକ୍ତବ୍ୟରେ , ଜନ ଜୀବନର ସାହିତ୍ୟ ଚିରସ୍ଥାୟୀ ଅଟେ । ସାଧାରଣ ମଣିଷର ଦୁଃଖ, ଶୋକ, ଭୋକ ସାହିତ୍ୟରେ ପ୍ରସ୍ଫୁଟିତ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । “ମାଟିର ସ୍ୱର ” ତରଫରୁ ଆୟୋଜିତ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଭିତ୍ତିକ ଆଲୋଚନାଟି ଅତି ଉପାଦେୟ ଅଟେ । ଏ ଆଲୋଚନାଟି ନିହାତି ଏ ସମାଜ ପାଇଁ ଏବଂ ସାରସ୍ୱତ ଲେଖକ ଲେଖିକା ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ମତ ପ୍ରକାଶ ପାଇଥିଲା । ସମାଜସେବୀ ତଥା ବିପ୍ଳବୀ ଶରତଚନ୍ଦ୍ର ବେହେରା ମହୋଦୟ ନିଜ ବକ୍ତବ୍ୟରେ କହିଥିଲେ ଯେ, ସାହିତ୍ୟ ପ୍ରଗତିଶୀଳ ଏବଂ ପ୍ରତିବାଦ ଆଧାରିତ ହେବା ଆବଶ୍ୟକ ଅଟେ ଯାହାକି ଏ ସମାଜକୁ ମାର୍ଗ ଦେଖାଇବାରେ ସହାୟକ ହେବ । ଶେଷରେ ଅଧ୍ୟାପିକା ବନ୍ଦନା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
“ସମାଜ ପରିବର୍ତ୍ତନ କ୍ଷେତ୍ରରେ ସାହିତ୍ୟର ଭୂମିକା” ଶୀର୍ଷକ ରାଜ୍ୟ ସ୍ତରୀୟ ଭର୍ଚୁଆଲ ଆଲୋଚନା ଚକ୍ର ଆୟୋଜିତ !!!

