Site icon Awaj Media

ରାନୀ ମୋମୋ ଷ୍ଟଲରେ ଯାତ୍ରା ଜଗତର ଅଭିନେତ୍ରୀ ରାନୀ ପଣ୍ଡା !!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଆଇବି ରୋଡ଼ ସ୍ଥିତ ‘ରାନୀ ପଣ୍ଡା ହଟ ମୋମୋ’ ଷ୍ଟଲରେ ସମାଜସେବୀ ତଥା ଯାତ୍ରା ଜଗତର ଅଭିନେତ୍ରୀ ରାନୀ ପଣ୍ଡା ନିଜ ନାମରେ ଥିବା ଷ୍ଟଲକୁ ଅଚାନକ ପରିଦର୍ଶନ କରିଛନ୍ତି । ବାଲୁଗାଁ ଅଞ୍ଚଳରେ ରାନୀଙ୍କ ଜଣେ ବଡ଼ ଫ୍ୟାନ ତଥା ବି.ଟେକ ପଢା ସାରି ଚାକିରି ନକରି ରାନୀ ପଣ୍ଡାଙ୍କ ନାମରେ ଏକ ମୋମୋ ଷ୍ଟଲ ଖୋଲି ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି ବାଣପୁର ବ୍ଲକ ଅନ୍ତର୍ଗତ ହଜ ଗ୍ରାମର ଯୁବକ ବିକାଶ ଦାସ । ଦିନକୁ ଦିନ ବଜାରର ଚାହିଦାକୁ ନଜରରେ ରଖି ସନ୍ଧ୍ୟା ସମୟରେ ଜଳଖିଆ, ଗୁପଚୁପ, ଚାଟ ଏପରିକି ଚାଇନିଜ ଖାଇବାକୁ ଭୁଲି ମୋମୋ ଖାଇବା ପାଇଁ ଖାଦ୍ୟପ୍ରେମୀ ଲମ୍ବା ଧାଡି ରାଜଧାନୀ ଭୁବନେଶ୍ୱରରେ ଲାଗୁଛି । ଏହାକୁ ନଜରରେ ରଖି ବିଟେକ ସାରିଥିବା ବିକାଶ ବାଲୁଗାଁ ଗାନ୍ଧୀ ଛକ ନିକଟରେ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଦୁଇ ମାସ ତଳେ ରାନୀ ପଣ୍ଡାଙ୍କ ନାମରେ ଉକ୍ତ ମୋମୋ ଷ୍ଟଲ ଖୋଲିଥିଲେ । କରୋନା କାଳରେ ରାନୀ ପଣ୍ଡା ବିଭିନ୍ନ ବ୍ୟକ୍ତିଙ୍କୁ କରିଥିବା ସାହାଯ୍ୟ ଓ ସହାନୁଭୂତିରେ ଅନୁପ୍ରାଣିତ ହୋଇ ରାନୀଙ୍କ ସୁପର ଫ୍ୟାନ ସାଜିଥିବା ବିକାଶ ବାଲୁଗାଁ ଓ ବାଣପୁରରେ ରାନୀଙ୍କ ନାମରେ ଦୁଇଟି ‘ରାନୀ ପଣ୍ଡା ହଟ ମୋମୋ ଷ୍ଟଲ’ ଖୋଲି ବେଶ ଚର୍ଚ୍ଚାରେ ଅଛନ୍ତି । ସୁଦୂର କାଠମାଣ୍ଡୁରୁ କାରିଗର ଆଣି ଭେଜ ଏବଂ ନନଭେଜ ମୋମୋ ପ୍ରସ୍ତୁତ କରି ଦି ପଇସା ରୋଜଗାର କରି ପରିବାର ଚଳାଉଛନ୍ତି ବିକାଶ । ପାଠପଢା ସାରି ଚାକିରୀ ପଛରେ ନଗୋଡ଼ାଇ ସ୍ୱାବଲମ୍ବୀ ପନ୍ଥା ଅବଲମ୍ବନ କରିଥିବା ବିକାଶଙ୍କୁ ନିଜ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ରାନୀ ପଣ୍ଡା ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିବା ସହ ବିକାଶଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି ।

Exit mobile version