Site icon Awaj Media

ଯୋଗାଣ ଏବଂ ଓଜନ ଓ ମାପ ବିଭାଗ ପକ୍ଷରୁ ବାଣପୁର ବ୍ଲକର ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢ଼ାଉ ଜାରି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଅପମିଶ୍ରଣ ଏବଂ ପେଟ୍ରୋଲ, ଡ଼ିଜେଲ ମାପରେ ଅନିୟମିତତା ହେଉଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଅଛି । ତେବେ ଏହାକୁ ଗୁରୁତର ସହ ନେଇ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଯୋଗାଣ ଏବଂ ମାପ ଓଜନ ବିଭାଗ ପକ୍ଷରୁ ବାଣପୁର ଏବଂ ବାଲୁଗାଁର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ମିଳିତ ଚଢ଼ାଉ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡା ଏବଂ ତ୍ରିଲୋଚନ ସାହୁ ଙ୍କ ନେତୃତ୍ୱରେ ଏକ ଟିମ ବାଣପୁର ଓ ବାଲୁଗାଁର ତିନି ଗୋଟି ପେଟ୍ରୋଲ ପମ୍ପ ଉପରେ ଚଢ଼ାଉ କରିଥିଲେ । ତେବେ ବାଣପୁର ସ୍ଥିତ ପେଟ୍ରୋଲ ପମ୍ପ ଠାରୁ କାଗଜପତ୍ର ବାବଦ କୁ ୫୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ବାଲୁଗାଁର ଦୁଇ ଗୋଟି ପେଟ୍ରୋଲ ପମ୍ପ ନିକଟରୁ କାଗଜପତ୍ର ଏବଂ ଜନସାଧାରଣଙ୍କ ମୌଳିକ ସୁବିଧା ନିମନ୍ତେ ଭିତ୍ତିଭୂମି ଅଭାବ ବାବଦକୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀ ପରିଡ଼ା । ତେବେ ସମସ୍ତ ପେଟ୍ରୋଲ ପମ୍ପ ଗୁଡିକରେ ପେଟ୍ରୋଲ, ଡ଼ିଜେଲ ମାପରେ କୌଣସି ତ୍ରୁଟି ନଥିବା ଏବଂ ମିଟର ରିଡିଙ୍ଗ ଯନ୍ତ୍ର ସଠିକ ଥିବା ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ଏହିପରି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଉକ୍ତ ଚଢ଼ାଉରେ ବାଲୁଗାଁ ଓଜନ ଏବଂ ମାପ ଅଧିକାରୀ ପ୍ରଦୋଷ ହରିଚନ୍ଦନ, ବାଣପୁର ବ୍ଲକ ଯୋଗାଣ ନିରୀକ୍ଷକ ଶିବରାମ ବିଶ୍ୱାଳ ଏବଂ ଚିଲିକା ବ୍ଲକ ଯୋଗାଣ ନିରୀକ୍ଷକ ଅରୁଣ ଲେଙ୍କା ଆଦି ସାମିଲ ଥିଲେ ।

Exit mobile version