ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଉ ଗୋଟିଏ ଲଘୁଚାପ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହେବା ଜଣାଯାଇଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ମଧ୍ୟ ଏହାର ଘୋର ପ୍ରଭାବ ପଡିଛି । ଗତ ଦୁଇଦିନର ଲଗାଣ ବର୍ଷା ଯୋଗୁଁ ବାଣପୁର ବ୍ଲକରେ ଶହ ଶହ ଏକର ଏକର ଧାନ ଜମି ଜଳମଗ୍ନ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । କଟା ହେବାକୁ ଥିବା ଧାନ ଫସଲ ଗୁଡିକ ପାଣି ଭିତରେ ବୁଡି ରହିଛି । ଗତ ଦୁଇଦିନ ଧରି ଚାଲିଥିବା ଲଗାଣ ବର୍ଷାରେ ପ୍ରାୟ ୧୨୨୫ ଏକର ଜମି ଜଳମଗ୍ନ ହୋଇଥିବାର ଅନୁମାନ କରାଯାଉଛି । ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର, ଗମ୍ଭାରିମୁଣ୍ଡା, ଆୟତପୁର, ନାଚୁଣୀ, ତୋରସିଂହ ଓ କୁମାରଙ୍ଗ ପଞ୍ଚାୟତ ଗୁଡିକର ଜମି ଜଳମଗ୍ନ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ଆସିଛି । ସେହିଭଳି ବାଣପୁର ବ୍ଲକର ଅନ୍ୟ ପଞ୍ଚାୟତରେ ମଧ୍ୟ କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ବର୍ଷା ଛାଡିବା ପରେ ଏହାର ସଠିକ ଆକଳନ କରାଯିବ ବୋଲି ବାଣପୁର କୃଷି ଅଧିକାରୀ ଅଜୟ କୁମାର କର ସୂଚନା ଦେଇଛନ୍ତି । ଏନେଇ ମିଳିଥିବା ଖବର ଅନୁଯାୟୀ , ଏହାର ଏକ ରିପୋର୍ଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ପ୍ରଦାନ କରା ଯାଇଛି ବୋଲି ଅଧିକାରୀ ପ୍ରକାଶ କରିଛନ୍ତି । ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନୁଯାୟୀ କ୍ଷତିପୂରଣ ମିଳିବା ପାଇଁ ପ୍ରୟାସ କରାଯିବ ବୋଲି ଶ୍ରୀ କର କହିଛନ୍ତି । ଏତଦ ବ୍ୟତୀତ ଯେଉଁ ଚାଷୀ ଏହି ଫସଲ ବୀମା ଯୋଜନାରେ ଅଂଶଗ୍ରହଣ କରିବାରେ ବିଫଳ ହୋଇଛନ୍ତି, ସେମାନଙ୍କୁ ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ କ୍ଷତିପୂରଣ ଦିଆଯିବ ବୋଲି କୃଷି ଅଧିକାରୀ କହିଛନ୍ତି ।
ବାଣପୁର ବ୍ଲକରେ ବର୍ଷା ପ୍ରଭାବ : ଏକର ଏକର ଧାନ ଜମି ଜଳମଗ୍ନ !!!

