Site icon Awaj Media

ମହଙ୍ଗାଭତ୍ତା ବୃଦ୍ଧି ଦାବିରେ ବାଲୁଗାଁ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ନିୟନ୍ତ୍ରିତ ବଜାର କମିଟିର ନିୟମିତ କର୍ମଚାରୀ ମାନେ ମହଙ୍ଗା ଭତ୍ତା ବୃଦ୍ଧି ଦାବିରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି । କର୍ମଚାରୀ ମାନଙ୍କ ଦାବି ମୁତାବକ ଷଷ୍ଠ ବେତନ କମିଶନ ସୁପାରିଶ ଅନୁଯାୟୀ ମହଙ୍ଗା ଭତ୍ତା ବୃଦ୍ଧି ପାଇ ୧୬୮ ପ୍ରତିଶତ ପହଞ୍ଚିଥିଲେ ସୁଦ୍ଧା କର୍ମଚାରୀ ମାନେ ଆଜି ସୁଦ୍ଧା ଦୀର୍ଘ ଦଶ ବର୍ଷ ଧରି ୫୧ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି। ପୂର୍ବରୁ ଏକାଧିକ ଅଧିକାରୀଙ୍କ ବଦଳି ହୋଇଥିବା ସତ୍ତ୍ୱେ କେହି ବି ଉକ୍ତ ସମସ୍ୟାକୁ କର୍ଣ୍ଣପାତ କରୁନାହାନ୍ତି । ତେବେ ଗତବର୍ଷ କର୍ମଚାରୀଙ୍କ ଅନୁରୋଧ କ୍ରମେ ଖୋର୍ଦ୍ଧା ଉପ-ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଡ଼ିଏ ଫାଇଲକୁ ତାଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ଭିତରେ ଏଗାର ମାସ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନର କମିଟି ସମ୍ପାଦକ ଉକ୍ତ ଫାଇଲକୁ ଅଣଦେଖା କରିବା ସହ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ତେବେ ଏକ ମାସ ତଳେ ପୁଣି ଥରେ କର୍ମଚାରୀ ମାନେ ଉପ-ଜିଲ୍ଲାପାଳଙ୍କୁ ଭେଟି ଏ ବାବଦରେ ଏକ ଦାବିପତ୍ର ମଧ୍ୟ ଦେଇଥିଲେ । ଉପ-ଜିଲ୍ଲାପାଳ କମିଟି ସମ୍ପାଦକଙ୍କୁ ଉକ୍ତ ଫାଇଲ ଆଣିବା ପାଇଁ ନିର୍ଦେଶ ଦେଇଥିଲେ ସୁଦ୍ଧା ଏଯାବତ ଉକ୍ତ ଦିଗରେ କୌଣସି ପଦକ୍ଷେପ ନିଆ ଯାଇନାହିଁ । ଯାହାକୁ କମିଟି ର କର୍ମଚାରୀ ମାନେ ଗୁରୁତର ସହ ନେଇ ଆଜି ଧାରଣାରେ ବସିଛନ୍ତି । ଦୀର୍ଘ ଦୁଇ ବର୍ଷ କୋଭିଡ ମହାମାରୀ ସମୟରେ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀ ମାନେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୁଡିକର ଅହେତୁକ ଦରଦାମ ବୃଦ୍ଧି ହେତୁ ସେମାନଙ୍କ ପରିବାର ଚଳାଇବାକୁ ଅସମର୍ଥ ହୋଇ ପଡିଲେଣି । ଏସମ୍ପର୍କରେ ନିୟନ୍ତ୍ରିତ ବଜାର କମିଟି, ବାଲୁଗାଁ ସମ୍ପାଦକ ପ୍ରବୋଧ କୁମାର ସାହୁଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ । ସମ୍ପୃକ୍ତ ନିୟମିତ କର୍ମଚାରୀଙ୍କ ଦାବିକୁ ନେଇ ଖୋର୍ଦ୍ଧା ଉପ ଜିଲ୍ଲାପାଳଙ୍କୁ ସେ ଅବଗତ କରିଥିବା ସୂଚନା ଦେଇଥିବା ବେଳେ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇଥିଲେ । ମାତ୍ର ଅଦ୍ୟାବଧି ଧରଣାରତ କର୍ମଚାରୀଙ୍କୁ କୌଣସି ସୂତ୍ରରୁ କିଛି ବି ସୂଚନା ଦିଆ ଯାଇନଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ସେମାନଙ୍କୁ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି ।

Exit mobile version