!!! ମିଶ୍ରଣ ପର୍ବରେ ବାଙ୍କୀ ବିଧାୟକଙ୍କ ପାତର ଅନ୍ତର !!!
ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଘୋର ପାତର ଅନ୍ତର କରିଛନ୍ତି ବାଙ୍କୀ ବିଧାୟକ . ଦୁଇଟି ଅଲଗା ମିଶ୍ରଣ ପର୍ବରେ ଅଲଗା ଅଲଗା ମେନୁ କରି କର୍ମୀଙ୍କ ମନ ଉଣା କରିଛନ୍ତି ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ଜନତା ଦଳ ସଭାପତି ଦେବୀରଞ୍ଜନ ତ୍ରିପାଠୀ . ପ୍ରଥମ ମିଶ୍ରଣ ପର୍ବରେ ପଶ୍ଚିମ ବାଙ୍କୀର କର୍ମୀଙ୍କୁ ମଟନ ଝୋଳ ଦେଇ ଆପ୍ୟାୟିତ କରିଥିବା ସମୟରେ , ଦ୍ଵିତୀୟ ମିଶ୍ରଣ ପର୍ବରେ ପୂର୍ବ ବାଙ୍କୀର ନେତା ଓ କର୍ମୀଙ୍କୁ ଧରାଇଛନ୍ତି ଶୁଖିଲା ବରା ସିଙ୍ଗଡ଼ା ପ୍ୟାକେଟ . ତେବେ ପ୍ରଥମ ମିଶ୍ରଣ ପର୍ବ ଛାଡଖାଇ ପରି ଆଇଁଷିଣିଆ ଦିନରେ ପଡି ଥିବାରୁ , ଚକ୍ରଧର ଆଣ୍ଡ ଟିମ କୁ ମଟନ ଝୋଳର ସ୍ୱାଦ ମିଳି ପାରିଥିଲା . କିନ୍ତୁ ଦ୍ଵିତୀୟ ମିଶ୍ରଣ ପର୍ବରେ ପୂର୍ବ ବାଙ୍କୀର ତିନି ପଞ୍ଚାୟତର ତିନି କୁଖ୍ୟାତ ନେତା ଆସିଯିବା କାରଣରୁ ସବୁ କିଛି ସର୍ଟକଟ ରେ କରାଗଲା ବୋଲି ଭିତିରି ସୂଚନା ମିଳିଛି . ଏହାକୁ ନେଇ କିଛି କର୍ମୀ ମନ ଦୁଃଖ କରିଥିଲେ ବି ଆଗକୁ ନିର୍ବାଚନ ବେଳେ ବିରିୟାନୀ ଖାଇବା ଲୋଭରେ ଚୁପ ଅଛନ୍ତି .
ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଥିବାରୁ ଜୋରସୋରରେ ଚାଲିଛି ଦଳ ଡିଆଁ କାମ . କିଏ ଲାଭର ଲୋଭ ଦେଖାଇ ନିଜ ଦଳକୁ ଟାଣୁଛି , ତ ଆଉ କିଏ ଆସନ୍ତା ନିର୍ବାଚନରେ ଟିକେଟ ଦେବ ବୋଲି କହି . ତେବେ ବାଙ୍କୀ ନିର୍ବାଚନ ମଣ୍ଡଳୀରେ ମିଶ୍ରଣ ପର୍ବରେ ଢେର ଆଗରେ ରହିଛି ବିଜେଡି . ପୂର୍ବତନ ବାଙ୍କୀ ବିଧାୟକ ତଥା ପୁରୁଖା ନେତା ପ୍ରଭାତ ତ୍ରିପାଠୀ ଙ୍କ ସେନାପତିତ୍ୱରେ ଗାଁ ଗଣ୍ଡା ରୁ ହାତ ଦଳିଆ ନେତା ଓ କର୍ମୀଙ୍କୁ କରାଯାଇଛି ଟାର୍ଗେଟ . କାହାକୁ କେମିତି ବଶ କରାଯିବ , ବିଧାୟକଙ୍କ ସରକାରୀ ବାସଭବନରେ ପ୍ରସ୍ତୁତ କରାଯାଉଛି ଗଦ . ବାଙ୍କୀ ବିଜେଡି ର ତିନି ନମ୍ବର ନେତା ତଥା ଗ୍ୟାଙ୍ଗ ଡାକ୍ତର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସବୁ ଡ଼ିଲ ଫାଇନାଲ ହେଉଛି . ଆଉ ତାପରେ ଦିନ ବାର ଧାର୍ଯ୍ୟ ହୋଇ ବେକରେ ଶଙ୍ଖ ପତାକା ପକାଇ ଦଳକୁ ସ୍ୱାଗତ .
ଆଉ ତା ପରେ ନେତା ଙ୍କର ସେଇ ଚିରାଚରିତ ଡାଇଲଗ – ଅମୁକ ଲୋକ ଆସିବା ପରେ ଆମ ଦଳ ଅଧିକ ମଜବୁତ ହେଲା , ଆଉ ନବ ମିଶ୍ରିତ ନେତାଙ୍କର ସେଇ ଘୋଷା କଥା – ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାରେ ସନ୍ତୁଷ୍ଟ ଆଉ ବିଧାୟକଙ୍କ ଆଦର୍ଶରେ ଅନୁପ୍ରାଣିତ . କିନ୍ତୁ ପରଦା ପଛର ଅସଲ କାହାଣୀ ହେଲା – ନେତା ମନେ ମନେ ଭାବୁଥିବେ , ଏଇଟା ବହୁତ ରାଉ ରାଉ ହଉଥିଲା ଏଥର ଥଣ୍ଡା ପଡିଯିବ . ତେଣେ ଭୁବନେଶ୍ୱର ରୁ ଗାଁ କୁ ଫେରିବା ବାଟରେ କର୍ମୀ ଭାବୁଥିବ – ଏଥର ଆଉ କୋଉ ଜେଇ, ଏଇ , ବିଡ଼ିଓ ମତେ ପାଟି ଫିଟାଉ . ବେକରେ ଶଙ୍ଖ ଉତ୍ତରୀୟ ପଡିଲା ଟି , କଣ ଗେଲ ଲାଗିଛି ନା କଣ .
ବି .ଦ୍ର . – ମିଶ୍ରଣ ପର୍ବକୁ କୌଣସି ଗଣମାଧ୍ୟମ କୁ ଡ଼କା ଯାଉନଥିବା ରୁ ( ବାଙ୍କୀ ର କିଛି ନେତା କମ ସାମ୍ବାଦିକ ଅବଶ୍ୟ ଆସୁଛନ୍ତି ) , ଉତ୍ସାହିତ କର୍ମୀ ମାନଙ୍କର ସାମାଜିକ ଗଣମାଧ୍ୟମ ପୃଷ୍ଠାରୁ ଏ ଫଟୋ ସବୁ ସଂଗ୍ରହ କରାଯାଇଛି .

