Site icon Awaj Media

ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ଦାବୀ ନେଇ ଆମ୍ବପାଳ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ନିଯୁକ୍ତି , ଥଇଥାନ ଓ କ୍ଷତିପୂରଣ ଆଦି ତିନି ଦଫା ଦାବୀ ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଆମ୍ବପାଳ ଗ୍ରାମବାସୀ ମାନଙ୍କ ପକ୍ଷରୁ ସୋମବାର ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲା । ସକାଳ ୬ଟା ବେଳେ ଆମ୍ବପାଳ ଗ୍ରାମର ଶତାଧିକ ଜମିହରା ପ୍ରଜାଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି, ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ, ଟାଇମ ଅଫିସ ଓ ଶାଳବଣିଆ ସ୍ଥିତ ପରିବହନ ରାସ୍ତା ଅବରୋଧ କରିଥିଲେ । ଫଳରେ ଖଣିରୁ କୋଇଲା ଉତ୍ପାଦନ ଓ ପରିବହନ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ସୂଚନା ଯେ, ଆମ୍ବପାଳ ଗ୍ରାମର ୭୨ ଏକର ଜମି ଏମ୍‌ସିଏଲ୍ ହିଙ୍ଗୁଳା କୋଇଲା ଖଣି ଦ୍ଵାରା ଅଧିଗ୍ରହଣ ହୋଇଥିବା ବେଳେ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ଅଦ୍ୟାବଧି ଏମ୍‌ସିଏଲ୍ ପକ୍ଷରୁ ନିଯୁକ୍ତି, ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରାଯାଇନାହିଁ । ଗ୍ରାମବାସୀଙ୍କ ପକ୍ଷରୁ ଏମ୍‌ସିଏଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଆପତ୍ତି ଅଭିଯୋଗ କଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ସମସ୍ୟାର ସମାଧାନ ହୋଇ ପାରୁନାହିଁ ବୋଲି ଗ୍ରାମବାସୀ ମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି । ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ବିଜୟ ମାଝୀଙ୍କ ନେତୃତ୍ୱରେ ଧର୍ମାନନ୍ଦ ମାଝୀ, ଆର୍ତତ୍ରାଣ ସେଠୀ, ବୁବୁ ମାଝୀ, ପ୍ରତାପ ସେଠୀ, କୁନା ସାହୁ, କଳାବତୀ ନାଏକ, ଟିକିନା ବେହେରା, ଧୂଳେଶ୍ଵର ବେହେରା, ନାରାୟଣ ବେହେରା, ବିନୟ ସାହୁ, ସନ୍ତୋଷିନୀ ନାଏକ ପ୍ରମୁଖ ଗ୍ରାମବାସୀ ଆନ୍ଦୋଳନରେ ସାମିଲ ଥିଲେ । ସମସ୍ୟାର ସମାଧାନ ନିମନ୍ତେ ସ୍ଥାନୀୟ ଗୋପାଳପ୍ରସାଦ ଫାଣ୍ଡି ଅଧିକାରୀଙ୍କ ଉପସ୍ଥିତିରେ ହିଙ୍ଗୁଳା କୋଇଲା ଖଣିର ଉଚ୍ଚପଦସ୍ଥ ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ସମାଧାନୀ ବୈଠକ ଟାଇମ ଅଫିସ ନିକଟସ୍ଥ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଡିସେମ୍ବର ମାସ ୧୦ ତାରିଖ ସୁଦ୍ଧା ଏକ ସବ-କମିଟି ମାଧ୍ୟମରେ ସମସ୍ୟାର ସମାଧାନ କରାଯିବ ବୋଲି ଖଣି କର୍ତ୍ତୃପକ୍ଷ ପ୍ରତିଶୃତି ଦେବା ପରେ ମଧ୍ୟାହ୍ନରେ ୧୨ ଟା ବେଳେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Exit mobile version