ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସଚିବ ଅଞ୍ଜନା ଚୋପ୍ରା ଢେଙ୍କାନାଳ ଗସ୍ତ କରିଛନ୍ତି । ଢେଙ୍କାନାଳ ସର୍କିଟ ହାଉସ ଠାରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବର୍ତମାନ ଢେଙ୍କାନାଳରେ କରୋନା ପରିସ୍ଥିତି, କରୋନା ଦ୍ୱାରା ମୃତ୍ୟୁ ବରଣ କରିଥିବା 244 ଜଣ ଏବଂ ଅନ୍ୟାନ୍ୟ 59 ଜଣଙ୍କର ପରିବାରଙ୍କୁ ମୃତ୍ୟୁ ଜନିତ ସହାୟତା ପ୍ରଦାନ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଉପ-ଜିଲ୍ଲାପାଳ ଶ୍ରୀମତୀ ସ୍ନିଗ୍ଧାରାଣୀ ଧଳ, ଜିଲ୍ଲା ମଙ୍ଗଳ ଅଧିକାରୀ ପରମାନନ୍ଦ ପୃଷ୍ଟି, ଗଁଦିଆ ବିଡ଼ିଓ ଆଶିଷ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
କୋଭିଡ଼ ହସ୍ପିଟାଲ ପରିଦର୍ଶନ କରି କୋଭିଡ଼ ଟେଷ୍ଟ ଏବଂ ଟୀକାକରଣ ସମ୍ବନ୍ଧରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ସୁଜାତା ରାଣୀ ମିଶ୍ରଙ୍କ ସହ ଆଲୋଚନା କରିବା ସହ କୋଭିଡ଼ ର ତୃତୀୟ ଲହର ପାଇଁ ପୂର୍ଣ୍ଣ ପ୍ରସ୍ତୁତି ରହିବାକୁ ପରାମର୍ଶ ଦେଇଥିଲେ । ଏହାପରେ ବେଳଟିକିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି କୋଭିଡର ମୁକାବିଲା ଓ ଚିକିତ୍ସା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ । ଗଁଦିଆ କୋ-ଅପରେଟିଭ ସୋସାଇଟି ପରିଦର୍ଶନ କରି ଚାଷୀମାନଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ । ଏହାପରେ ମହାପଦରେ ସପ୍ତଶତୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ଛତୁ ଚାଷ ଏବଂ କେନ୍ଦୁପଡା ଠାରେ ମା ସରସ୍ଵତୀ ମହିଳା ସହାୟକ ଗୋଷ୍ଠୀ ଦ୍ୱାରା କରାଯାଉଥିବା ଅଣ୍ଡା ଦିଆ କୁକୁଡ଼ା ଚାଷ ଫାର୍ମ ପରିଦର୍ଶନ କରି ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ।

