ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସାମୁଦ୍ରିକ ବାତ୍ୟା ପ୍ରଭାବରେ ଅଦିନିଆ ବର୍ଷା ବାଙ୍କୀ ଓ ଡମପଡ଼ା ଅଞ୍ଚଳର ଧାନ ଓ ପରିବା ଚାଷୀଙ୍କ ମୁଣ୍ଡରେ ଚଡକ ପକାଇ ଦେଇଛି । ବିଲରେ ଅମଳ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଧାନ ଫସଲ ବର୍ଷା ମାଡରେ ଶୋଇ ପଡିଛି । ଚାଷୀର ଆଖି ଆଗରେ ବିଲରେ ଉବୁଟୁବୁ ହେଉଥିବା ଫସଲ ନଷ୍ଟ ହେବାକୁ ଲାଗିଛି । ଫଳରେ ଋଣ କରି ଚାଷ କରୁଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଦୁଇ ଦିନ ତଳେ ଆରମ୍ଭ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ଅଧିକାଂଶ ଚାଷଜମିରେ ଅମଳ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଧାନ , ଫସଲ କିଆରିରେ ଶୋଇ ରହିଥିବା ଦେଖାଦେଇଛି । ଅମଳ ହେବାକୁ ଥିବା ଫସଲ ବର୍ଷା ପାଣିରେ ଭିଜି ଗଜା ଓ ଫିମ୍ପି ମାରିବାର ଆଶଙ୍କା ଦେଖା ଦେଇଛି । ଆଉ ଅଧିକ ବର୍ଷା ଲାଗି ରହିଲେ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି । ସେହି ପରି ରଣନଦୀ ଓ ଚନ୍ଦ୍ରପା ଅଞ୍ଚଳର ଖାଲୁଆ ଜମିରେ ରହିଥିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି କିଛି ଚାଷୀ ଜମିରୁ ଧାନ କାଟି ତରବରିଆ ଭାବେ ଖଳାରେ ରଖିଥିଲେ । ସେଥିରେ ମଧ୍ୟ ପାଣି ପଶି ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଫଳରେ ବ୍ୟାଙ୍କ ,ଘରୋଇ ସଂସ୍ଥା ଓ ଗାଁ ମହାଜନଙ୍କ ଠାରୁ ଆଣିଥିବା ଋଣ କୁ କିପରି ଚାଷୀମାନେ ପରିଶୋଧ କରିବେ ସେଥି ପାଇଁ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ବର୍ଷା ପ୍ରଭାବରେ ଶୀତଦିନିଆ ପନିପରିବା କୋବି, ଟମାଟୋ, ବିନ୍, ଭେଣ୍ଡି ଆଦି ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି । କେତେକ ତଳିଆ ଅଞ୍ଚଳରେ ଗତକାଲି ଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ପାଣି ଜମି ପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବାର ଜଣା ପଡିଛି । ବିଭାଗୀୟ କର୍ତ୍ତୁପକ୍ଷ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି କରାଯାଇଛି ।
ଚିନ୍ତା ରେ ବାଙ୍କୀ ଚାଷୀ : ବର୍ଷାରେ ବୁଡିଲା ପାଚିଲା ଧାନ !!!

