Site icon Awaj Media

ସଂରକ୍ଷଣ ଦାବିରେ ଅନୁଗୁଳ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜନଜାତିଙ୍କ ସଂରକ୍ଷଣ ଦାବିରେ ଅନୁଗୁଳ ସମ୍ମିଳିତ ଆଦିବାସୀ ସମାଜ ପକ୍ଷରୁ ଜିଲ୍ଲାପାଳଙ୍କୁ ସୋମବାର ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ୮ଟି ବ୍ଲକରେ ୨୨୫ ଟି ଗ୍ରାମ ପଞ୍ଚାୟତ ରହିଛି । ୨୦୨୨ରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୨୨୫ଟି ପଞ୍ଚାୟତରେ ଅନୁସୂଚିତ ଜନଜାତି ପ୍ରାର୍ଥୀ / ପ୍ରାର୍ଥୀନିଙ୍କ ପାଇଁ ସରପଞ୍ଚ ପଦ ଓ ୮ଟି ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ବ୍ୟବସ୍ଥା ନାହିଁ । ଏଣୁ ସରକାରଙ୍କ ତରଫରୁ ଜାରି କରାଯାଇଥିବା ତୃଟିପୂର୍ଣ୍ଣ ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରି, ପୂର୍ବରୁ ପ୍ରଚଳିତ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିବାକୁ ସମ୍ମିଳିତ ଆଦିବାସୀ ସମାଜ ଦାବି କରିଛି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସରକାର ଏହାର ସୁବିଚାର ନ କରନ୍ତି, ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ସମସ୍ତ ଆଦିବାସୀ ଭୋଟ ବର୍ଜନ କରିବା ସହିତ କୋର୍ଟର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଆଦିବାସୀ ସମାଜର କର୍ମକର୍ତ୍ତା ମାନେ ଜିଲ୍ଲା କାର୍ଯ୍ୟାଳୟଠାରେ ପହଞ୍ଚି ସେମାନଙ୍କ ଦାବି ସମ୍ପର୍କରେ ସଭା କରିଥିଲେ । ଏଥିରେ ସଙ୍ଗଠନର ମହାସଚିବ ତଥା ଆବାହକ ପ୍ୟାରୀମୋହନ ନାୟକ ଅଧ୍ୟକ୍ଷତାରେ ଓଡ଼ିଶା ଅଖିଳ ଭାରତୀୟ ଗୌଣ୍ଡୱାନା ଗୌଣ୍ଡ ମହାସଭା ଦ୍ଵାରା ଆହୁତ ପ୍ରତିବାଦ ସଭାରେ ଜିଲ୍ଲାରେ ଥିବା ୧୦ ପ୍ରକାର ଆଦିବାସୀ ସଙ୍ଗଠନର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସାମିଲ୍ ହୋଇଥିଲେ । ପରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବିପତ୍ର ପ୍ରଦାନ କରିଥିଲେ ।

Exit mobile version