Site icon Awaj Media

ବାଲୁଗାଁ ଏସଡିପିଓ ଙ୍କ ମାନବିକତା !!!

Spread the love

ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ରାସ୍ତାକଡ଼ରେ ଅଜଣା ନିରାଶ୍ରୟ ବୃଦ୍ଧଙ୍କୁ ସହାୟତା କଲେ ବାଲୁଗାଁ ଏସଡିପିଓ

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖବର ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅନ୍ତର୍ଗତ ଚିଲିକା ରୋଡ଼ ସ୍ଥିତ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ଥ ରାସ୍ତାକଡ଼ରେ ଜଣେ ଅଜଣା ନିରାଶ୍ରୟ ବୃଦ୍ଧ ଦୀର୍ଘ ଚାରି ଦିନ ହେବ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ । ଶରୀରରେ ଶୀତବସ୍ତ୍ର ନଥିବାରୁ ପ୍ରବଳ ଶୀତର ପ୍ରକୋପରେ ବୃଦ୍ଧ ଜଣକ ଥରୁଥିଲେ । ଖାଦ୍ୟ ପାଇଁ ଡହଳ ବିକଳ ମଧ୍ୟ ହେଉଥିଲେ । ତେବେ ଘଟଣା ସମ୍ପର୍କରେ ‘ଶାଳିଆ ପ୍ରେସ କ୍ଲବ’ ର ସଦସ୍ୟ ଖବର ପହଞ୍ଚିବା ପରେ , ସଙ୍ଗେସଙ୍ଗେ ଏ ନେଇ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏସଡ଼ିପିଓ ଉକ୍ତ ଖବର ପାଇବା ମାତ୍ରେ କାଳ ବିଳମ୍ବ ନକରି ସଙ୍ଗେ ସଙ୍ଗେ ମେଡିକାଲ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ ।

ବାଲୁଗାଁ ଥାନା ଇନଚାର୍ଜ ଡ଼ିଏସପି ରମାକାନ୍ତ ମାହାଲିକ ଅସହାୟ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଇଥିଲେ । ସେହିପରି ଭାବେ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସହାୟତାର ହାତ ବଢାଇଥିଲେ । ଏସଡ଼ିପିଓ ଶ୍ରୀ ବାରିକ ଏବଂ ଡ଼ା. ପଟ୍ଟନାୟକ ମେଡିକାଲରୁ ଷ୍ଟ୍ରେଚର ଆଣି ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଇବା ସହ ତାଙ୍କର ପ୍ରାଥମିକ ଚିକିତ୍ସା କରାଇଥିଲେ । ଏଥି ସହିତ ଅସହାୟ ବ୍ୟକ୍ତିଙ୍କୁ ଏସଡ଼ିପିଓ କମ୍ବଳ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଯୋଗାଇ ଦେଇଥିଲେ । ବର୍ତ୍ତମାନ ବ୍ୟକ୍ତି ଜଣକ ସୁସ୍ଥ ଥିବାବେଳେ ନିଜର ପରିଚୟ ଉତ୍ତର ପ୍ରଦେଶ କାନପୁର ଅନ୍ତର୍ଗତ ନୟାଗଞ୍ଜ ଅଞ୍ଚଳର ଅବଦୁଲ ହାକିମ ଖାନ ବୋଲି ପୋଲିସ ଆଗରେ ପ୍ରକାଶ କରିଛନ୍ତି । ଏହା ଜାଣିବା ପରେ ଏସଡ଼ିପିଓ ଉତ୍ତର ପ୍ରଦେଶ ପୋଲିସକୁ ଯୋଗାଯୋଗ ମଧ୍ୟ କରିଥିବାର ଜଣାପଡିଛି । ତେବେ ଏସଡ଼ିପିଓ ଏବଂ ମେଡିକାଲ ଅଧିକାରୀଙ୍କ ଉକ୍ତ ବଦନ୍ୟତାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଅନୁରୂପ ଭାବେ ଉଭୟ ବାଣପୁର ଏବଂ ବାଲୁଗାଁ ଏନଏସି ଅଞ୍ଚଳରେ ଏହିପରି ରାସ୍ତା କଡ଼ରେ ବସବାସ କରୁଥିବା ଅସହାୟ ନିରାଶ୍ରୟ ବ୍ୟକ୍ତିଙ୍କୁ ଚି଼ହ୍ନଟ କରି ସେମାନଙ୍କୁ ସେଲଟର ହୋମକୁ ସ୍ଥାନାନ୍ତରିତ କରାଯାଇ ପାରିଲେ ମାନବିକତା ବଞ୍ଚି ରହିବ ବୋଲି ସାଧାରଣରେ ଆଲୋଚନା ହେଉଛି । ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଏପରିକି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ତେବେ କେତେକ ସ୍ଥଳରେ ଯୋଜନା ସବୁ ଖାତା କଲମରେ ରହିଯାଉଛି । କେଉଁଠି ନିରାଶ୍ରୟକୁ ଆଶ୍ରୟ ମିଳୁନାହିଁ ତ କେଉଁଠି ଅନାହାରରେ ଜୀବନ କାଟୁଛନ୍ତି ଅନେକ ଭୋକିଲା । ମାନବ ସେବା ହିଁ ମାଧବ ସେବା, ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା. ସୌମ୍ୟକାନ୍ତ ଦାସ ପଟ୍ଟନାୟକ ।

Exit mobile version