ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଆହାର କେନ୍ଦ୍ର ନିକଟରେ ରହୁଥିବା ବୟସ୍କା ମାନସିକ ବିକାରଗସ୍ତ ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇଲା ଉତ୍କଳ ଆମ୍ବେଦକର ସମାଜ . ସେବା ହିଁ ଧର୍ମ । ମାନବ ସେବା ହିଁ ମାଧବ ସେବା । ପ୍ରତିଦିନ ଆମ ସମାଜରେ ଅନେକ ଅସହାୟ, ନିରାଶ୍ରୟ, ମାନସିକ ବିକାରଗସ୍ତ ଅଛନ୍ତି ଯେଉଁମାନେ କିଞ୍ଚିତ ସାହାଯ୍ୟ ଅପେକ୍ଷାରେ ଚାତକ ପରି ଚାହିଁ ରହିଥାନ୍ତି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ । ଜଣେ ବୟସ୍କା ମାନସିକ ବିକାରଗସ୍ତ ବୃଦ୍ଧାଙ୍କୁ ସହଯୋଗର ହାତ ବଢ଼ାଇଛି ବାଣପୁର ସ୍ଥିତ ସାମାଜିକ ସଂଗଠନ ଉତ୍କଳ ଆମ୍ବେଦକର ସମାଜ ।
ଖବର ମୁତାବକ ବାଣପୁର ଅଞ୍ଚଳର ଜଣେ ମାନସିକ ବିକାରଗସ୍ତ ବୃଦ୍ଧା ପାନା ଦେଇ ଯାହାଙ୍କ ବୟସ ୯୦ ରୁ ଉର୍ଦ୍ଧ୍ଵ ହେବ। ଦୀର୍ଘବର୍ଷ ଧରି ଏନଏସି ଆହାର କେନ୍ଦ୍ର ନିକଟରେ ସେ ପଡ଼ି ରହିଛନ୍ତି । ତାଙ୍କୁ ଦୀର୍ଘ ଦୁଇ ବର୍ଷ ପୂର୍ବେ ତତ୍କାଳୀନ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବାଣପୁର ବଜାରରୁ ଆଣି ଆହାର କେନ୍ଦ୍ର ନିକଟରେ ଥଇଥାନ ବ୍ୟବସ୍ଥା କରିଥିଲେ । ଏପରିକି ଆହାର କେନ୍ଦ୍ରରୁ ତାଙ୍କୁ ପ୍ରତ୍ୟେକ ଦିନ ଖାଦ୍ୟ ଦିଆଯାଉଥିଲା । ନୂତନ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମଧ୍ୟ ନିକଟରେ ବ୍ୟକ୍ତିଗତ ଭାବେ କିଛି ଆର୍ଥିକ ସହଯୋଗ କରିଥିବାର ଜଣାପଡିଛି । କିନ୍ତୁ ଧୀରେ ଧୀରେ ଉକ୍ତ ବ୍ୟବସ୍ଥା ସବୁ ଢିଲା ହେବାରେ ଲାଗିଛି । ପୁଣି ଅଲୋଡ଼ା ଅବଳେହିତ ହୋଇଯାଇଛନ୍ତି ପାନା ଦେଇ । ସେହିପରି ଭାବେ ଆହାର କେନ୍ଦ୍ର ନିକଟରେ ପଡିରହିଛନ୍ତି । ସ୍ଥାନୀୟ ସହୃଦୟ ବ୍ୟକ୍ତି କିଏ କେତେବେଳେ ପାନାଙ୍କୁ କିଞ୍ଚିତ ସହଯୋଗ କରି ଆସୁଛନ୍ତି ।
ତେବେ ଉକ୍ତ ଦୃଶ୍ୟ ଉତ୍କଳ ଆମ୍ବେଦକର ସମାଜ, ବାଣପୁର ଶାଖାର କର୍ମକର୍ତ୍ତା ଙ୍କ ନଜରକୁ ଗତକାଲି ଆସିବା ପରେ ଆଜି ସକାଳୁ ସଂଗଠନର ସଦସ୍ୟ ମାନେ ପାନା ଦେଇଙ୍କ ନିକଟକୁ ଯାଇ ତାଙ୍କୁ ସ୍ନାନ କରାଇ, ଚୁଟି ଓ ନଖ କାଟିବା ସହ ତାଙ୍କୁ ସଫା ସୁତୁରା କରିଛନ୍ତି । ସେହିପରି ଭାବେ ତାଙ୍କୁ କମ୍ବଳ ଏବଂ ନୂତନ ବସ୍ତ୍ର ଦେବା ସହ ଖାଦ୍ୟ ମଧ୍ୟ ଯୋଗାଇଛନ୍ତି । ଉକ୍ତ ମହତ କାର୍ଯ୍ୟରେ ଉତ୍କଳ ଆମ୍ବେଦକର ସମାଜ, ବାଣପୁର ଶାଖାର ସଭାପତି ନରେନ୍ଦ୍ର ନାୟକ, ସମ୍ପାଦକ ନମିତା ନାୟକ, ଉପ ସଭାପତି ପ୍ରଭାକର ନାୟକ, ଉପଦେଷ୍ଟା ଦାଶରଥି ନାୟକ, ପରିଚାଳକ ମଦନ ପାତ୍ର ନାୟକ, ସହ ସମ୍ପାଦକ ରମାକାନ୍ତ ନାୟକ, ସଞ୍ଜୟ ପାତ୍ର, ଧିରେନ ନାୟକ, ରଞ୍ଜନ ନାୟକ, ଜିତୁ ନାୟକ, ଟିଟୁ ନାୟକ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ସାମିଲ ଥିଲେ । ପରିଶେଷରେ ଏନଏସି ପ୍ରଶାସନ କୁ ପାନା ଦେଇଙ୍କ ଦାୟିତ୍ୱ ନେବା ପାଇଁ ସଂଗଠନର କର୍ମକର୍ତ୍ତା ମାନେ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି ।

