ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କେନ୍ଦୁଝର ନିକଟବର୍ତ୍ତୀ ନୟାଗଡ଼ ଠାରୁ ଲୁହାପଥର ବୋଝେଇ କରି କର୍ଣ୍ଣାଟକର ହୁଵାଲୀ କୁ ଯାତ୍ରା କରୁଥିବା ଏକ ପଣ୍ୟବାହୀ ଟ୍ରେନ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅନ୍ତର୍ଗତ ସୋଲାରି ଏବଂ ବାଲୁଗାଁ ଷ୍ଟେସନ୍ ଷ୍ଟେସନ ମଧ୍ୟରେ (ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ମାର୍ଗରେ) ଗୋଟିଏ ୱାଗନ ଆଜି ଅପରାହ୍ନ ୪ ଘ.୩୫ମି. ସମୟରେ ଲାଇନଚ୍ୟୁତ ହେବା ଯୋଗୁଁ ଖୋର୍ଦ୍ଧା ରୋଡ଼-ବ୍ରହ୍ମପୁର ରେଳ ସେକ୍ସନରେ ଟ୍ରେନ ଚଳାଚଳ ସାମାନ୍ୟ ପ୍ରଭାବିତ ହୋଇଛି । ଆଜି ଭୁବନେଶ୍ୱରରୁ ଛାଡିଥିବା ୧୧୦୨୦ ଭୁବନେଶ୍ୱର-ମୁମ୍ବାଇ ସିଏସଏମଟି କୋଣାର୍କ ଏକ୍ସପ୍ରେସକୁ ଗଙ୍ଗାଧରପୁର ରେଳ ଷ୍ଟେସନରେ ଅପରାହ୍ନ ୪ଘ.୪୨ମି. ଠାରୁ ନିୟନ୍ତ୍ରିତ କରାଯାଇଥିବା ବେଳେ ୧୨୭୦୩ ହାଓଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ କାଳୁପଡାଘାଟ ଷ୍ଟେସନ ଠାରେ ଅପରାହ୍ନ ୫ ଘଟିକାରୁ ନିୟନ୍ତ୍ରିତ କରାଯାଇଛି । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ତାଙ୍କ ଅଧିକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ବେଳେ ଯାତ୍ରୀବାହୀ ଟ୍ରେନ ଶୀଘ୍ର ଚଳାଚଳ ପାଇଁ ପଦକ୍ଷେପ ନେଉଛନ୍ତି । ପ୍ରଭାବିତ ୱାଗନକୁ ଠିକ କରିବା ପାଇଁ ରିଲିଫ ଟ୍ରେନ ଘଟଣାସ୍ଥଳରେ ପହଞ୍ଚି ସାରିଛି । ଯାତ୍ରୀବାହୀ ଟ୍ରେନ କୁ ସତର୍କତାର ସହିତ ଡାଉନ ଲାଇନରେ ଚଳାଚଳ ପାଇଁ ଅନୁମତି ଦିଆଯିବ ଯାହାଫଳରେ ଟ୍ରେନ ଚଳାଚଳ ସାମାନ୍ୟ ବିଳମ୍ବିତ ହୋଇପାରେ । ଏହି ଉଦ୍ଧାର ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପାଦନ ପାଇଁ ରେଳବାଇକୁ ସହଯୋଗ କରିବା ପାଇଁ ପୂର୍ବତଟ ରେଳପଥ ନିବେଦନ କରିଛି । ରେଳବାଇ ଯୁଦ୍ଧକାଳୀନ ଭିତ୍ତିରେ ଶୀଘ୍ର ପୁନଃ ଟ୍ରେନ ଚଳାଚଳ କରିବାକୁ କାର୍ଯ୍ୟ କରୁଛି ।
ବାଲୁଗାଁ ରେଳ ଷ୍ଟେସନ୍ ନିକଟରେ ପଣ୍ୟବାହୀ ଟ୍ରେନ ଲାଇନଚ୍ୟୁତ !!!

