ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇପିଡି କୋଠାରେ କିନ୍ନରଙ୍କ ପାଇଁ ଗୁରୁବାର ଏକ ସ୍ୱତନ୍ତ୍ର ୱାର୍ଡ ଉଦ୍ଘାଟିତ ହୋଇଯାଇଛି । କିନ୍ନରଙ୍କ ପାଇଁ ଏଭଳି ସ୍ୱତନ୍ତ୍ର ୱାର୍ଡ ଓଡ଼ିଶାରେ ପ୍ରଥମ ଥର ପାଇଁ ଖୋଲା ଯାଇଛି ବୋଲି ଜଣାଯାଇଛି । ଏଭଳି ଏକ ୱାର୍ଡ ଖୋଲିବାକୁ ସ୍ଵେଚ୍ଛାସେବୀ ଚିନ୍ମୟୀ ସିଡିଏମଓଙ୍କ ନିକଟରେ ଦାବି କରିଥିଲେ । ହସ୍ପିଟାଲ ମ୍ୟାନେଜର ସୋମ୍ୟାଶ୍ରି ପ୍ରଧାନ ଏବଂ ଦେବାଶିଷ ଦାସ ଏହି ୱାର୍ଡକୁ ଉଦ୍ଘାଟନ କରିଥିଲେ । ପ୍ରଥମ ଦିନ ଦୁଇ ଜଣ କିନ୍ନର ରୋଗୀ ଆଡ଼ମିଶନ ନେଇଛନ୍ତି । ଏହି ୱାର୍ଡରେ ଟଏଲେଟ୍ର ମଧ୍ୟ ବ୍ୟବସ୍ଥା ରହିଛି । ମେଡିକ୍ସ ଭଳି ଘରୋଇ ସଂସ୍ଥା କିନ୍ନର ମାନଙ୍କୁ ଏଡ୍ସର ସଚେତନତା, ସେମାନଙ୍କୁ ଧନ୍ଦା ମୂଳକ ଶିକ୍ଷା ଏବଂ ଏଡ୍ସ ଆକ୍ରାନ୍ତଙ୍କୁ ଏଆରଟି ଔଷଧ ପ୍ରଦାନ କାମ କରୁଥିଲେ ମଧ୍ୟ ଆଜିଯାଏ କୌଣସି ସରକାରୀ ହସ୍ପିଟାଲରେ କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡ ର ବ୍ୟବସ୍ଥା ହୋଇ ପାରିନଥିଲା । ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡ଼ାପ୍ସୁର ସଂଯୋଜିକା ପ୍ରମିଳା ହୋତା, ସ୍ଵେଚ୍ଛାସେବୀ ବାପୁଜୀ ପ୍ରଧାନ ଓ ଚିନ୍ମୟୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

