Site icon Awaj Media

ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ : ଜୟ ପରାଜୟକୁ ନେଇ ଅଙ୍କକଷା ଆରମ୍ଭ !!!

Spread the love

ମାହାଙ୍ଗା ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଥିବା ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଉଭୟ ବ୍ଲକ ଅଞ୍ଚଳରେ ବ୍ୟାପକ ପୋଲିସ ପହରା ଭିତରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବା ଦେଖିବାକୁ ମିଳିଛି . ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା . ପଣସପୁର ପଞ୍ଚାୟତ ୧ ନମ୍ବର ୱାର୍ଡରେ ଜନୈକ ପ୍ରାର୍ଥୀଙ୍କ ଏଜେଣ୍ଟ ଥିବା ପ୍ରଭାତ ମିଶ୍ରଙ୍କୁ ପ୍ରତିପକ୍ଷ ଛୁରା ମାଡ କରିବା ନେଇ ଥାନାରେ ଏତଲା ଦିଆଯାଇଛି . ଆହତ ପ୍ରଭାତଙ୍କୁ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି . ଖୋଦ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ବିଭିନ୍ନ ବୁଥରେ ପହଞ୍ଚି ସ୍ଥିତି ପରଖିବା ସହ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ସଜାଗ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି .ମାହାଙ୍ଗା ବ୍ଲକର 37 ଟି ଗ୍ରାମ ପଞ୍ଚାୟତରେ 523 ଟି ମତଦାନ କେନ୍ଦ୍ର ଖୋଲା ଯାଇଥିଲା ବେଳେ, ପ୍ରଶାସନ ପକ୍ଷରୁ ଏସବୁ ବୁଥ ଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି . ସେହିପରି ସ୍ଥାନୀୟ ଆଇଆଇସି ନିହାର ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ପୋଲିସ ସ୍କ୍ୱାର୍ଡ଼ ବିଭିନ୍ନ ବୁଥରେ ପଇଁତରା ମାରିବା ସହ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ମୋବାଇଲ ଟିମ ମୁତୟନ କରାଯିବା ଜଣାପଡିଛି . ବହୁ ବୁଥରୁ ଭୋଟ ବାକ୍ସ ଗୁଡିକୁ ବ୍ଲକ ଷ୍ଟ୍ରଙ୍ଗ ରୁମକୁ ନିଆଯାଇଛି . ନିର୍ବାଚନ ପ୍ରକ୍ରିୟା ସାରିବା ପରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ମାନେ ନିଜ ନିଜର ଜୟ ପରାଜୟକୁ ନେଇ ଅଙ୍କ କଷିବା ଆରମ୍ଭ କରିବା ନେଇ ଚର୍ଚ୍ଚା ଚାଲିଛି !

Exit mobile version