Site icon Awaj Media

ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉ ମନ୍ଦିରରେ ବିଶ୍ୱଶାନ୍ତି ବିଷ୍ଣୁଯଜ୍ଞ ଅନୁଷ୍ଠିତ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) କିଶୋର ମହାପାତ୍ର – ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ପାଇକପନ୍ତିଖାରୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ଜୀଉଙ୍କ ମନ୍ଦିର ପରିସରରେ ଚତୁର୍ଦ୍ଦଶ ବାର୍ଷିକ ବିଶ୍ୱଶାନ୍ତି ବିଷ୍ଣୁଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ୧୪ ତାରିଖ ସୋମବାର ଠାରୁ ଚାରିଦିନ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ଯଜ୍ଞାନୁଷ୍ଠାନ କର୍ମ ସହ ସଂକୀର୍ତ୍ତନ, ଭଜନସନ୍ଧ୍ୟା, ପ୍ରବଚନ, ଗୀତିନାଟ୍ୟ ଓ ପ୍ରସାଦସେବନ ଅବସରରେ ଦିବାରାତ୍ର ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରଥମ ଦିନ ଅଙ୍କୁରାରୋପଣ ପରେ ଦ୍ୱିତୀୟ ଦିନ ପାଇକପନ୍ତିଖାରୀ ଗ୍ରାମ ସମେତ ଗୋଡିପଲ୍ଲୀ, ନବରତ୍ନପୁର, ଜାମୁସାହି ଆଦି ଗ୍ରାମରୁ ପ୍ରାୟ ଦୁଇଶହରୁ ଅଧିକ ଶ୍ରଦ୍ଧାଳୁ ଓ ମାନସିକଧାରୀ କଳସ ଶୋଭାଯାତ୍ରାରେ ସାମିଲ ହେବାସହ ଯଜ୍ଞ ଆହୁତି ପ୍ରଦାନ କରାଯାଇଥିଲା । ସେହିପରି ତୄତୀୟଦିନ ଅନୁରୂପ ଭାବେ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ପ୍ରବଚକ ରାଜକିଶୋର ମାର୍ଥାଙ୍କ ପ୍ରବଚନ ଶ୍ରୋତାମାନଙ୍କ ମନ ଜିତିଥିଲା। ଆଜି ପୂର୍ଣ୍ଣାହୁତି ତଥା ଯଜ୍ଞ ସମ୍ପୂର୍ଣ୍ଣ ହୋଇଛି । ଏ ଅବସରରେ ଚାରଣ ସ୍ୱାଗତ, ବିଷ୍ଣୁ ଗାୟତ୍ରୀ ଯଜ୍ଞ, ଚରୁପ୍ରସାଦ ସେବନ ଓ ଅନ୍ନକୁଟର ବ୍ୟବସ୍ଥା କରାଯାଇଛି। ଯଜ୍ଞ ଆଚାର୍ଯ୍ୟ ସନ୍ତୋଷ କୁମାର ତ୍ରିପାଠୀ, ପୁସ୍ତକ ଆଚାର୍ଯ୍ୟ ଶାନ୍ତନୁ କୁମାର ଦାଶ, ଶରତଚନ୍ଦ୍ର ବିଶ୍ୱାଳ, ଲକ୍ଷ୍ମୀଧର ଦାସ, ସୁଦର୍ଶନ ନାୟକ, ରବୀନ୍ଦ୍ର କୁମାର ଦାସ ଓ ବିଶ୍ୱନାଥ ବେହେରାଙ୍କ ସମେତ ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟ ପାଇକପନ୍ତିଖାରୀ ଗ୍ରାମବାସୀଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।

Exit mobile version