Site icon Awaj Media

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଫିକା ପଡ଼ିବ ଐତିହାସିକ ବାଣପୁର ପଞ୍ଚଦୋଳ : ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୀର୍ଘ ଦୁଇ ବର୍ଷ ହେଲା କରୋନା ମହାମାରୀ ନିମନ୍ତେ ବାଣପୁରର ଐତିହାସିକ ପଞ୍ଚଦୋଳ ଉତ୍ସବକୁ ଭକ୍ତ ମାନେ ଦେଖି ପାରିନଥିବା ବେଳେ ଚଳିତ ବର୍ଷ କିନ୍ତୁ କରୋନା ମହାମାରୀ ପ୍ରଭାବ କମ ରହିଛି । ସେଥିପାଇଁ ଜନସାଧାରଣ ମାନେ ଏହାକୁ ଉପଭୋଗ କରିବା ପାଇଁ ଚାତକ ପରି ଚାହିଁ ବସିଛନ୍ତି । କିନ୍ତୁ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଜିଲ୍ଲା ପ୍ରଶାସନ ଆଜି ଉକ୍ତ ପ୍ରସଙ୍ଗ ଉପରେ ପୂର୍ଣ୍ଣଛେଦ ପକାଇଛି । ଚଳିତ ବର୍ଷ ପଞ୍ଚଦୋଳ ଦିନ ବାଣପୁର ଏନଏସିରେ ନିର୍ବାଚନପାଇଁ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ପଞ୍ଚଦୋଳ ଉତ୍ସବରେ ବ୍ୟାପକ କାଣ୍ଟଛାଣ୍ଟ କରିଛି ପ୍ରଶାସନ। ରବିବାର ଦିନ ପଞ୍ଚଦୋଳ କମିଟି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ସହିତ ଉକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଥିବା ବେଳେ ଏସଡିପିଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କଡ଼ାକଡି ଭାବେ ପାଳନ କରିବା ପାଇଁ କମିଟି ସଭ୍ୟଙ୍କୁ ଅନୁରୋଧ କରିଛନ୍ତି । ତତସହିତ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି । ଯଦି କୌଣସି ଜନସାଧାରଣ ପ୍ରଶାସନ ର ନିୟମକୁ ଖିଲାପ କରନ୍ତି ତେବେ ଏଥି ପାଇଁ ସମ୍ପୃକ୍ତ ବ୍ୟକ୍ତି ଏବଂ ପଞ୍ଚଦୋଳ କମିଟି ଦାୟୀ ରହିବ ଏବଂ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଡିପିଓ ଶ୍ରୀ ବାରିକ କହିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ନିୟମ ଗୁଡ଼ିକ କ’ଣ ?

୧:-ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସର୍ବସାଧାରଣଙ୍କୁ ମେଳଣ ପଡିଆ ମନା।

୨:-ଆତସବାଜି, ଡିଜେ ଓ ପଟୁଆର ମନା।

୩:-ସୀମିତ ସଂଖ୍ୟକ ସେବାୟତଙ୍କ ମଧ୍ୟରେ ନୀତିକାନ୍ତି ରକ୍ଷା କରି ଦୋଳ ମେଳଣ ହେବ।

୪:-ସର୍ବ ସାଧାରଣଙ୍କ ପାଇଁ ଠାକୁରଙ୍କ ଦର୍ଶନ ସମ୍ପୂର୍ଣ୍ଣ ମନା।

୫:-ବିମାନ ଗୁଡିକୁ ଶୃଙ୍ଖଳିତ ଢଙ୍ଗରେ ପଡିଆରେ ପ୍ରବେଶ କରାଇବାକୁ ବ୍ୟାରିକେଡ ସହିତ ୩ ଟି ଦ୍ୱାର ରହିବ।

୬:-ପଞ୍ଚଦୋଳ ଗୁରୁବାର ଦିନ ଚିଆଁଙ୍କସାହି ଶଙ୍ଖ ଠାରୁ ଟିକିରାଇ ମନ୍ଦିର ପର୍ଯ୍ୟନ୍ତ ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ।

ଚଳିତ ବର୍ଷ ଏନଏସି ନିର୍ବାଚନ ନିମନ୍ତେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି କଠୋର ନିଷ୍ପତ୍ତି ନିଆଯାଇଥିବାର ଜଣାପଡିଛି। ତେବେ ଉକ୍ତ ଖବର ଚିଲିକାର ହଜାର ହଜାର ଭକ୍ତଙ୍କୁ ନିରୁତ୍ସାହିତ କରୁଛି, ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ ।

Exit mobile version