ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମଗ୍ର ରାଜ୍ୟରେ ପୌର ନିର୍ବାଚନ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା କାଲି ପ୍ରଚାର ର ଶେଷ ଦିବସ । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଏନଏସି ଚଳଚଞ୍ଚଳ ହୋଇ ଉଠିଛି । ଉଭୟ ଏନଏସି ରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଅନୁମେୟ ହେଉଛି । ତେବେ ଆଜି ବିଜେପି ପକ୍ଷରୁ ଉଭୟ ସହରରେ ମେଗା ରୋଡ଼ ଶୋ’ ଅନୁଷ୍ଠିତ ହୋଇ ଯାଇଛି ।
ପୂର୍ବାହ୍ନରେ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ବାଲୁଗାଁ ସହରସ୍ଥିତ ମା’ ଉତ୍ତରାୟଣୀ ମନ୍ଦିରରୁ ବାହାରି ବିଭିନ୍ନ ୱାର୍ଡ ପରିକ୍ରମା କରିଛି । ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ବିଜେପି ଅଧ୍ୟକ୍ଷା ପ୍ରାର୍ଥୀନୀ ସ୍ୱପ୍ନା ବଡ଼ଜେନା ଏବଂ ସମସ୍ତ ବିଜେପି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ଉକ୍ତ ରାଲିରେ ନିବେଦନ କରାଯାଇଛି । ଶୋଭାଯାତ୍ରାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଯୋଗଦେଇ ପଥପ୍ରାନ୍ତ ସଭା ମାଧ୍ୟମରେ ଏନଏସି ଅଞ୍ଚଳର ସମସ୍ତ ଦିଗରେ ବିକାଶକୁ ନେଇ ପ୍ରତିଶୃତି ଦେଇଥିଲେ ।
ଅନୁରୂପ ଭାବେ ଅପରାହ୍ନରେ ବାଣପୁର ଏନଏସି ରେ ମଣ୍ଡଳ ସଭାପତି ଭଗବାନ ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଏକ ମେଗା ବାଇକ ରାଲି ବିଷରପାଟଣା ଠାରୁ ବାହାରି ସହରର ସମସ୍ତ ୱାର୍ଡ ପରିକ୍ରମା କରିଥିଲା । ଉକ୍ତ ରାଲିରେ ପୃଥ୍ଵୀରାଜ ହରିଚନ୍ଦନଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ ଯୋଗ ଦେଇଥିଲେ । ଏହି ଶୋଭାଯାତ୍ରାରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ନନ୍ଦ କିଶୋର ମିଶ୍ର ଏବଂ ସମସ୍ତ ବିଜେପି କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ନିବେଦନ କରାଯାଇଥିଲା । ତେବେ ନିକଟରେ ବାଣପୁର ଓ ଚିଲିକା ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପରେ ବିଜେପି ଉଭୟ ବାଣପୁର ଓ ବାଲୁଗାଁ ଏନଏସି ଅଧ୍ୟକ୍ଷ ପଦ ହାତେଇବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖି ଥିବାର ଦେଖିବାକୁ ମିଳିଛି ।

