Site icon Awaj Media

ନୂଆଗାଁ ପରେ ପାରାଢିପି ରେ ଭାଙ୍ଗିଲା ଫଳକ : ଗାଁ ଗାଁରେ ଉଠିଲାଣି ବିଦ୍ରୋହର ସ୍ୱର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ନୂଆଗାଁ ବ୍ଲକରେ ଶାସକ ଦଳର ନେତା ମାନଙ୍କ ମଧ୍ୟରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ରରୂପ ନେଉଥିବା ବେଳେ ଏବେ ଏକ ସପ୍ତାହ ମଧ୍ୟରେ ଲଗାତାର ଦୁଇ ଦୁଇଟି ସ୍ଥାନରେ ଫଳକ ଭଙ୍ଗାଯିବା ପରେ ତାହା ଶାସକ ଦଳକୁ ଚିନ୍ତାରେ ପକାଇଛି । ବର୍ତ୍ତମାନ ଗାଁ ଗାଁରେ ଅସନ୍ତୁଷ୍ଟ କର୍ମୀ ମାନେ ସଂଗଠିତ ହୋଇ ବିଦ୍ରୋହ ଆରମ୍ଭ କରିଥିବା ପରିଲକ୍ଷିତ ହେଉଛି । ତେବେ ପଞ୍ଚାୟତ ନିର୍ବାଚନ ପର ଠାରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଗେହ୍ଲାପୁଅ କୁହା ଯାଉଥିବା ନୂଆଗାଁ ବ୍ଲକ ଶାସକ ଦଳକୁ ଆଦୌ ସୁହାଉନଥିବା ବେଳେ ଏବେ ଠାରୁ ଗାଁ ଗାଁରେ ଦଳୀୟ ହାଇକମାଣ୍ତଙ୍କୁ ବିରୋଧ ଆରମ୍ଭ ହୋଇ ଗଲାଣି । ଗତ ଏପ୍ରିଲ ୨୧ ତାରିଖରେ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆକ୍ବାଗାର୍ଡ ଉଦଘାଟନ କରିବା ପୂର୍ବରୁ ଦୁର୍ବୁତ୍ତ ମାନେ ଫଳକ ଭାଙ୍ଗି ଦେଇଥିଲେ । ଆଜି ନୂଆଗାଁ ବ୍ଲକ ଅନ୍ତର୍ଗତ ପାରାଢିପି ପଞ୍ଚାୟତରେ ଠିକ ସେହିପରି ସମାନ ଅବସ୍ଥା ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଫେଜ–୩ ଅନ୍ତର୍ଗତ ପିଡବ୍ଲୁଡି ରାସ୍ତା ଶିମିଳିସାହି ଠାରୁ ଭାୟା ପୋକସୁଙ୍ଗା ଏବଂ ଅଭୟପୁର ଦେଇ ବାଲଣ୍ତା ଆରଡି ରାସ୍ତା ପର୍ଯ୍ୟନ୍ତ ଏକ ରାସ୍ତାର ଶୁଭ ଭିତ୍ତି ପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ହେଲେ ନିମନ୍ତ୍ରିତ ଅତିଥି ମାନେ ସେଠାରେ ପହଞ୍ଚିବା ପୂର୍ବରୁ କିଛି ଅସନ୍ତୁଷ୍ଟ ଗୋଷ୍ଠୀ ଉଦଘାଟନ ପୂର୍ବରୁ ଫଳକ କୁ ଭାଙ୍ଗି ଦେଇଥିଲେ । ତେବେ କିଛିଦିନ ତଳେ ନୂଆଗାଁ ସଦର ମହକୁମାରେ ଫଳକ ଭଙ୍ଗା ଯାଇଥିବା ବେଳେ ଆଜି ବାଲଣ୍ତା ଗ୍ରାମ ନିକଟରେ ଫଳକ ଭାଙ୍ଗିବା ଘଟଣା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଗାଁ ଗାଁ ରେ ଉଠୁଥିବା ବିଦ୍ରୋହର ସ୍ୱର ଆଗାମୀ ଦିନରେ କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।

Exit mobile version