Site icon Awaj Media

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ ଗୃହରେ ଆସନ୍ତା ଜୁଲାଇ ୧ ତାରିଖ ଦିନ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନିମନ୍ତେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪ ଘଣ୍ଟା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ପ୍ରଥମେ ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରଥଯାତ୍ରା କମିଟିର କୋଷାଧ୍ୟକ୍ଷ ରାମନାଥ ମିଶ୍ର ପୂର୍ବ ବର୍ଷର ଆଦାୟ ଓ ଖର୍ଚ୍ଚ ବିଷୟରେ ବିବରଣୀ ପଠନ କରିଥିଲେ । ପରେ ରଥ ନିର୍ମାଣ ଓ ମରାମତି ସମ୍ପର୍କରେ ସବିଶେଷ ଭାବେ ଆଲୋଚନା ହୋଇଥିଲା । ଏଥି ନିମନ୍ତେ କେଉଁଠାରୁ କାଠ ଆସିବ ଏବଂ କେତେ ପରିମାଣର ନୂତନ କାଠ ଆବଶ୍ୟକ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅସ୍ଥାୟୀ ଦୋକାନ ବ୍ୟବସ୍ଥା ଓ ମୀନାବଜାର ପାଇଁ ସ୍ଥାନ ନିରୂପଣ ଏବଂ ନିଲାମ ବିଷୟରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଯାତ୍ରାର ମୁଖ୍ୟ ବିଷୟ ବସ୍ତୁ ଶୁଖିଲା ଭୋଗ ଓ ଅନ୍ନଭୋଗ ବିଷୟରେ ଆଲୋଚନା ହେବା ସହ ଏହାର ଦାୟିତ୍ୱ ଓ ଏଥି ନିମନ୍ତେ କେତେ ପରିମାଣର ଖର୍ଚ୍ଚ ହେବ ସେ ବିଷୟରେ କମିଟି ସଦସ୍ୟ ଓ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଆଲୋଚନା ହୋଇ ତାର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ ହୋଇଥିଲା । ରଥଯାତ୍ରାରେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ପରିମଳ ବ୍ୟବସ୍ଥା ଓ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଆମ୍ବୁଲାନ୍ସ ଓ ଅଗ୍ନିଶମ ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହେବା ସହ ଉକ୍ତ ବିଭାଗକୁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ସେହିପରି ବିଦ୍ୟୁତ ବ୍ୟବସ୍ଥା ରାସ୍ତାଘାଟ ମରାମତି ସଂଚାଳନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କିପରି ସୁରକ୍ଷା ବ୍ୟବସ୍ଥା କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ, ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଅତିରିକ୍ତ ଜିଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସହରର ବହୁ ବୁଦ୍ଧିଜିବୀ, ଗଣମାଧ୍ୟମ ପ୍ରତିନିଧି, ସହରର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଦେବା ସହ ଆଲୋଚନା କରିଥିଲେ । ବୈଠକ ଶେଷରେ ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରକାଶ ଯୋଗ୍ୟ ଯେ, ବିଗତ ୨ବର୍ଷ ହେଲା କରୋନା ସଂକ୍ରମଣ ଲାଗି କଟକଣାକୁ ନେଇ ରଥଯାତ୍ରା କେବଳ ରୀତିନୀତିରେ ବିନାଭକ୍ତରେ ଅନୁଷ୍ଠିତ ହୋଇଥିଲା ।

Exit mobile version