Site icon Awaj Media

କଟକଣା କମୁଛି : ହେଲେ ବେଉସା ଉଜୁଡି ଯାଇଛି !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଧୀରେ ଧୀରେ କରୋନା କଟକଣା କମୁଥିଲେ ବି ଏହି ମହାମାରୀ ଅନେକ ଲୋକଙ୍କ ବେଉସା ଉଜାଡ଼ି ଦେଇଛି । ଫଳରେ ତଳିତଳାନ୍ତ ହୋଇଯାଇଛି ଅନେକ ପରିବାର । କରୋନା ମାଡ଼ରେ ଅନେକ ଲୋକଙ୍କ ବୃତ୍ତି ଓ ପେସା ବଦଳି ଯାଇଛି । ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବାରୁ ଉଜୁଡ଼ି ଯାଇଛି ହଜାର ହଜାର ପରିବାର । କରୋନା ମାଡ଼ରେ ଜୀବିକା ବଦଳାଇଥିବା ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ରାଜକିଶୋର ପଡ଼ାର ଜଗନ କୁମାର ରଥ । ବୟସ ୬୦ ଟପିଲାଣି । ପୂର୍ବରୁ ଜଗନ ଅଞ୍ଚଳର ଜଣେ ଜଣାଶୁଣା ପାଲା ଗାୟକ ଥିଲେ । ମୁହଁରେ ପାଉଡର ମାଖି ହୋଇ ସେ ଯେତେବେଳେ ମଞ୍ଚ ଉପରେ ଠିଆ ହୋଇ ଯାଉଥିଲେ, ତାଳି ମାଡ଼ରେ କମ୍ପୁଥିଲା ଚତୁର୍ଦ୍ଦିଗ । ପ୍ରାୟ ୪୫ ବର୍ଷ ଧରି ସେ ପାଲା କରୁଥିଲେ । କିନ୍ତୁ ଏବେ ରାସ୍ତା କଡ଼ରେ ବିକୁଛନ୍ତି ପରିବା । କରୋନା କଟକଣା ଯୋଗୁ ପାଲା ବନ୍ଦ ଥିବାରୁ ହାତରେ କାମ ନ ଥିଲା । ଏଣୁ ପରିବାର ପୋଷିବାକୁ ବାଧ୍ୟ ହୋଇ ସେ ପରିବା ବିକ୍ରି କରୁଥିବା କହିଛନ୍ତି । ଜଗନଙ୍କ କହିବାନୁସାରେ, ପାଲାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରିବାକୁ ସରକାରୀ ଅନୁମତି ଅଛି । କିନ୍ତୁ କିଛି ଅଧିକାରୀ କେତେକ ନିର୍ଦ୍ଦିଷ୍ଟ ପାଲା ଗାୟକଙ୍କୁ ଗାଇବାକୁ ସୁଯୋଗ ଦେଉ ନାହାନ୍ତି । ଫଳରେ ଏବେ ବି ଅନେକ ପାଲା ଗାୟକ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି । ପ୍ରଶାସନ ଯଦି କିଛି ସାହାଯ୍ୟ କରନ୍ତା ତେବେ ସେ ପୁଣି ଆଗ ଭଳି ମଞ୍ଚକୁ ଫେରି ପାରନ୍ତେ ।

 

Exit mobile version