Site icon Awaj Media

ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ହିତାଧିକାରୀଙ୍କ ସହ ଆଲୋଚନା !!!

Spread the love

ନୟାଗଡ ( ଆୱାଜ ମିଡିଆ ) – କିଶୋର ମହାପାତ୍ର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ଆଜାଦୀ କା ଅମୃତ ମହୋତ୍ସବ” ପାଳନର ଅଂଶ ସ୍ବରୂପ ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ ୧୬ ଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି । ଗରିବ କଲ୍ୟାଣ ସମ୍ମିଳନୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ହିତାଧିକାରୀ ମାନଙ୍କୁ ଉଦବୋଧନ ଦେଇଛନ୍ତି। କେନ୍ଦ୍ର ସରକାର ସମଗ୍ର ଭାରତର ବିକାଶ ନିମନ୍ତେ ପ୍ରଚେଷ୍ଟାରତ ଅଛନ୍ତି ଏବଂ ଏହି ବିକାଶ ଧାରାକୁ ଆଗେଇ ନେବାକୁ ପ୍ରଧାନମନ୍ତ୍ରୀ ହିତାଧିକାରୀ ମାନଙ୍କୁ ନିବେଦନ କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳ ରୂପାୟନ ଦିଗରେ ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ରହିଛି ଏବଂ ବିଭିନ୍ନ ଯୋଜନାର ହିତାଧିକାରୀ ମାନେ ବିକାଶର ଅଂଶୀଦାର ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ନୟାଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡଃ ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାଏ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ / ସହରାଞ୍ଚଳ) , ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା , ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା, ପୋଷଣ ଅଭିଜାନ, ସ୍ବଚ୍ଛ ଭାରତ ଅଭିଯାନ, ଜଳ ଜିବନ ମିସନ, ଏକ ଦେଶ- ଏକ ଖାଉଟି କାର୍ଡ, ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ମୁଦ୍ରା ଯୋଜନାର ହିତାଧିକାରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । କେନ୍ଦ୍ରୀୟ ଯୋଜନାରୁ ଲାଭବାନ ହୋଇଥିବା ହିତାଧିକାରୀ ମାନଙ୍କ ମଧ୍ୟରୁ ମୋଟ ୧୨୬ ଜଣଙ୍କୁ ଉକ୍ତ ସମାବେଶକୁ ନିମନ୍ତ୍ରଣ କରାଯାଇଥିଲା । ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଶୁଣିବା ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ ବିଷୟରେ ଅବଗତ ହୋଇଥିଲେ ।ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ହିତାଧିକାରୀ ମାନେ ପ୍ରସଂଶା କରିବା ସହ ଜିଲ୍ଲା ପ୍ରଶାସନକୁ ଏହି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସାଧୁବାଦ ଜଣାଇଛନ୍ତି ।

Exit mobile version