Site icon Awaj Media

ବାଣପୁର ବ୍ଲକରେ ପ୍ରଥମ ସାଧାରଣ ବୈଠକ : ଯୋଗ ଦେଲେନି ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ ବିଭାଗର ଅଧିକାରୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଆଜି ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଏବିଡ଼ିଓ ସୀମାଦ୍ରୀ ପାତ୍ର, ବ୍ଲକ ଉପାଧ୍ୟକ୍ଷା ରୀନା ଦେଇ, ୧୩, ୧୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା, ୧୧ ସରପଞ୍ଚ, ୧୦ ସମିତି ସଭ୍ୟ ଏବଂ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷା ପ୍ରଥମେ ଦୀପ ପ୍ରଜ୍ଜ୍ୱଳନ କରିବା ପରେ ବିଡ଼ିଓ ଶ୍ରୀ ନାୟକ ସମସ୍ତ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ବିଡ଼ିଓ ବୈଠକରେ ଉପସ୍ଥିତ ଥିବା ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟା ଓ ବିଭାଗୀୟ ଅଧିକାରୀଙ୍କ ପରିଚୟ ପ୍ରଦାନ କରି ପ୍ରାରମ୍ଭିକ ଅଭିଭାଷଣ ଦେଇଥିଲେ । ଉକ୍ତ ଅଭିଭାଷଣରେ ବିଡ଼ିଓ ଶ୍ରୀ ନାୟକ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପ୍ରସ୍ତାବିତ ସାମ୍ଭାବ୍ୟ ବଜେଟ୍‌ର ବିସ୍ତୃତ ବିବରଣୀ ପାଠ କରିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ତାଙ୍କ ବକ୍ତବ୍ୟରେ ନିଶ୍ଚିତ କର୍ମନିଯୁକ୍ତି, ସ୍ବଚ୍ଛତା, ଶିଶୁ ବିକାଶ, ବାର୍ଦ୍ଧକ୍ୟ ଭତ୍ତା, ଖାଉଟି କାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶତ ପ୍ରତିଶତ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ । ତତ ସହିତ ବ୍ଲକର କୌଣସି ବାସିନ୍ଦା ଯଦି କୌଣସି ସମସ୍ୟାର ସମୁଖୀନ ହୁଅନ୍ତି ସେମାନେ ନିର୍ଦ୍ବନ୍ଦରେ ଅଧ୍ୟକ୍ଷଙ୍କୁ ଭେଟି ପାରିବେ ବୋଲି ଶ୍ରୀ ରଣସିଂହ କହିଥିଲେ । ଏହାପରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରା ଯାଇଥିଲା । ତେବେ ଉକ୍ତ ଗୁରୁତ୍ୱପୂର୍ଣ ବୈଠକରେ ପୂର୍ବ ସୂଚନା ସତ୍ତ୍ୱେ ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ଯୋଗ ଦେଇନଥିବାରୁ ଅଧ୍ୟକ୍ଷ କ୍ଷୋଭ ପ୍ରକାଶ କରିବା ସହ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ପତ୍ର ଲେଖିଥିବାର କହିଛନ୍ତି । ସଭାଶେଷରେ ଏବିଡ଼ିଓ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version