ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ସମସ୍ୟା ପିଛା ଛାଡ଼ୁନି । ଏଠି ପ୍ରତି ମାସରେ ଜିଲ୍ଲା ଅଧିକାରୀ ମାନେ ତୁହାକୁ ତୁହା ସରକାରୀ ଗସ୍ତ ଜାରି ରଖୁଥିବା ବେଳେ ତାହା କେବଳ କାଗଜ କଲମରେ ସୀମିତ ରହିବା ପରି ମନେ ହେଉଛି । ସହରର ଉନ୍ନତିକରଣ ପାଇଁ କାହାରି ଆନ୍ତରିକତା ନଥିବା ପରି ଲାଗୁଛି । ସହରର ଜଳବନ୍ଦୀ ବର୍ତ୍ତମାନ ପ୍ରମୁଖ ସମସ୍ୟା ହୋଇଥିବା ବେଳେ ତାହା କାହାକୁ ନଦିଶିବା ସହଜରେ ହଜମ ହେଉନି । ସହରର ବିଧାରପୁର ଛକରେ ପୁନଶ୍ଚ ଜଳ ଲହଡ଼ି ମାରୁଛି । ଅସରାଏ ବର୍ଷା ହେଲେ ସେଠାରେ ଫୁଟେ ଉଚ୍ଚର ପାଣି ଜମୁଛି , କିନ୍ତୁ ପ୍ରଶାସନ ଓ ଏନଏସି ଅଧ୍ୟକ୍ଷ ସାଜିଛନ୍ତି ନିରବଦ୍ରଷ୍ଟା । ଉକ୍ତ ରାସ୍ତାଟି ପୂର୍ତ୍ତବିଭାଗ ଅଧୀନରେ ଥିବାବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ପୂର୍ତ୍ତ ବିଭାଗ ପାଖରେ ରହିଛି । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଗତ ବର୍ଷ ଜୁନ ମାସରେ ପୂର୍ତ୍ତବିଭାଗ ବର୍ଷା ଜଳ ନିଷ୍କାସନ ନିମନ୍ତେ ବିଧାରପୁର ଛକରୁ ସାରଳା ବିହାର କେନାଲ ଯାଏଁ ଏକ ଅସ୍ଥାୟୀ ଡ୍ରେନ ନିର୍ମାଣ କରିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଉକ୍ତ ଡ୍ରେନକୁ ପୁଣି ସ୍ଥାନୀୟ ବାସିନ୍ଦା ମାନେ ନିଜ ସ୍ୱାର୍ଥ ଲାଗି ପୋତି ଦେଲେଣି । ଯାହାଦ୍ୱାରା ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ଗଲା ବୋଲି ସାଧାରଣରେ ଆଲୋଚନା ହେଉଛି । ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କ କହିବା କଥା ଉକ୍ତ ୨୮୦ ମିଟର ଲମ୍ବ ଅସ୍ଥାୟୀ ଡ୍ରେନର ବଜେଟ ପାଖାପାଖି ୫ ଲକ୍ଷ ଟଙ୍କା ହେବ।
କିନ୍ତୁ ପୂର୍ତ୍ତବିଭାଗର ଏଥିପ୍ରତି ନିଘା ନାହିଁ । ଲକ୍ଷାଧିକ ଟଙ୍କାର କାର୍ଯ୍ୟ ହୋଇ ମଧ୍ୟ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିଙ୍କ ଲାଗି ପୁନଶ୍ଚ ଅସ୍ଥାୟୀ ଡ୍ରେନ ପୋତି ହୋଇ ଯାଇଛି । ତେବେ ପୂର୍ତ୍ତ ବିଭାଗର କାର୍ଯ୍ୟାନୁଷ୍ଠାନ ଶୂନ । ଅସ୍ଥାୟୀ ଡ୍ରେନ ନିର୍ମାଣ ଏକ ଧୂଆଁ ବାଣ ସଦୃଶ ହେଲା । ଆଜି ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ଉକ୍ତ ସ୍ଥାନରେ ପୁନଶ୍ଚ ଫୁଟେ ଫୁଟେ ପାଣି ଜମିଛି । କିନ୍ତୁ କାହାର ଏଥିପ୍ରତି ନଜର ନାହିଁ । ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରଚେଷ୍ଟାରେ ବାଣପୁରରେ ଡ୍ରେନେଜ ପାଇଁ ପ୍ରାଥମିକ ପଦକ୍ଷେପ ହାତକୁ ନିଆଯାଇଥିବା ବେଳେ ବର୍ତ୍ତମାନ ଶ୍ରୀ ମହାପାତ୍ରଙ୍କ ବଦଳି ପରେ ଉକ୍ତ ପ୍ରକଳ୍ପ ପୁନଶ୍ଚ ଶୀତଳ ବାକ୍ସରେ ପଡ଼ିରହିଛି ।

