ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡ଼ିଶାରେ ହେବ କି ମହାରାଷ୍ଟ୍ର ସ୍ଥିତି ? କିଏ ହେବେ ଓଡ଼ିଶାର ଏକନାଥ ସିନ୍ଧେ । ଏନେଇ ନୟାଗଡ଼ ଜିଲ୍ଲାର ଦୁଇ ଟାଣୁଆ ନେତାଙ୍କ ନାମ ଚର୍ଚ୍ଚାରେ । ନବିନ ଙ୍କ ପାଇଁ ଆଗକୁ ଆସିବକି ସଙ୍କଟ । ଏଭଳି କିଛି ଆଲୋଚନା ଚାଲିଛି ରାଜନୈତିକ ସମୀକ୍ଷକ ଙ୍କ ମଧ୍ୟରେ। ଏପରି ହେଲେ କିଏ ହେବେ ଓଡ଼ିଶାର ଏକନାଥ ସିନ୍ଧେ। ବିଶେଷ କରି ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପରେ ଚର୍ଚ୍ଚା ଜୋର ଧରିଛି। ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପରେ ଅନେକ ଯୋଗ୍ୟ ନେତାଙ୍କୁ ଅଣଦେଖା କରାଯାଇଥିବା ବେଳେ ଅନେକ ମନ୍ତ୍ରୀ ନିଜର ସାଙ୍ଗଠନିକ ଏବଂ ପ୍ରଶାସନିକ କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ଦେଖାଇ ମଧ୍ୟ ମନ୍ତ୍ରୀ ମଣ୍ଡଳ ରୁ ବିଦା ହେବାକୁ ପଡ଼ିଛି । ଏହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ବେଳେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ଭୂମିକାକୁ ନେଇ ମଧ୍ୟ ଅନେକ ନେତା ଅସନ୍ତୁଷ୍ଟ ହୋଇ ଉଠିଥିବା ଆଲୋଚନା ହେଉଛି । ବିଜୁ ଜନତା ଦଳରେ ଧିରେଧିରେ ଅସନ୍ତୋଷ କୁହୁଳୁ ଥିବା ବେଳେ କିଛି ନେତା ବିଜେପି ପ୍ରତି ଅନୁକୁଳ ମନ୍ତବ୍ୟ ଦେବା ଓଡ଼ିଶାରେ ମହାରାଷ୍ଟ୍ର ସ୍ଥିତି ଉପୁଜିବା ଚର୍ଚ୍ଚା କୁ ଖୋରାକ ଯୋଗାଇଛି । ଏପରି ଆଲୋଚନା ହୁଏ ଜିଲ୍ଲାର ଦୁଇ ହେଭିଓ୍ବେଟ ନେତା ଙ୍କୁ ନେଇ । ଜଣେ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଆଉ ଜଣେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ । ଏହି ଦୁଇ ହେଭିଓ୍ବେଟ ଙ୍କ ମଧ୍ୟରୁ ଜଣେ ସିନ୍ଧେ ଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏ ଚର୍ଚ୍ଚା କେତେ ବାସ୍ତବ ରୁପ ନେବ ତାହା ଅଲଗା କଥା , କିନ୍ତୁ ପାରିପାର୍ଶ୍ବିକ ସ୍ଥିତି କୁ ଦେଖିଲେ ଏପରି ଘଟଣା ବାସ୍ତବରେ ନଘଟିବ ତାହା କହିବା ଅସମ୍ଭବ ବୋଲି ଅନେକେ ମତ ଦେଉଛନ୍ତି ।
ଅନେକ ଆଲୋଚନା କରନ୍ତି ପଞ୍ଚାୟତ ନିର୍ବାଚନ, ମ୍ୟୁନିସିପାଲଟି ନିର୍ବାଚନ ରେ ଅଦ୍ଭୁତ ପୁର୍ବ ସଫଳତା ହାସଲ ସହ ସାଙ୍ଗଠନିକ ସଫଳତା ଦେଖାଇବା ପରେ ମଧ୍ୟ ତାଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବିଦା କରାଗଲା । ଏହାକୁ ନେଇ ଅରୁଣ ଅସନ୍ତୁଷ୍ଟ ରହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିନଥିବା ଚର୍ଚ୍ଚା ଜୋର ଧରିଥିଲା । ଅରୁଣ ଙ୍କ ପ୍ରତି ବିଧାୟକ ମାନଙ୍କ ସମର୍ଥନ ନେଇ ମୁଖ୍ୟମନ୍ତ୍ରୀଙ୍କ ଏକାନ୍ତ ଅନୁଗତ ଏବଂ ଅରୁଣ ଙ୍କ ମଧ୍ୟରେ ତିକ୍ତତା ଲାଗି ଅରୁଣ ମନ୍ତ୍ରୀ ମଣ୍ଡଳ ରୁ ବାଦ ପଡ଼ିଥିବା ଆଲୋଚନା ହୁଏ । ଦଳରେ ଗୁରୁତ୍ବ ଦିଆନଯିବା ହେତୁ ଅରୁଣ ଅସନ୍ତୁଷ୍ଟ ରହି କେବଳ ନିଜ ନିର୍ବାଚନ ମଣ୍ଡଳୀ କାର୍ଯ୍ୟରେ ସିମିତ ରହୁଛନ୍ତି । ଅରୁଣ ବିଜେପି ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହ ଘନିଷ୍ଠତା ରହିଥିବା ବେଳେ ଅନେକ ବିଧାୟକ ମଧ୍ୟ ଅରୁଣ ଙ୍କ ପ୍ରତି ଭିତିରିଆ ସମର୍ଥନ କରୁଥିବା ଚର୍ଚ୍ଚା ହୁଏ । ବବି ଙ୍କ ଉପରେ ମଧ୍ୟ ଅନେକ ବିଧାୟକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହୁଏ । ଏପରି ସ୍ଥିତିରେ ବବି ଏବଂ ପାଣ୍ଡିଆନ ଙ୍କ ଉପରେ ଅସନ୍ତୁଷ୍ଟ ଥିବା ଅରୁଣ ଯଦି ବିଜେପି ର ସାହାଯ୍ୟ ନିଅନ୍ତି ରାଜ୍ୟ ରେ ମହାରାଷ୍ଟ୍ର ଭଳି ସ୍ଥିତି ହୋଇପାରେ ବୋଲି ଆଲୋଚନା ହେଉଛି । ଅନ୍ୟପଟେ ରାଜ୍ୟ ର ଆଉ ଜଣେ ହେଭିଓ୍ବେଟ ନେତା ଖଣ୍ଡପଡ଼ା ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ ଦଳରେ କୋଣଠେସା ହୋଇ ରହିଥିବା ବେଳେ ସେ ବିଧାନସଭା ଭିତରେ ଓ ବାହାରେ ପ୍ରାୟ ସମୟରେ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି । ଏହା ସହ ନିକଟରେ ଅମିତ୍ ଶାହାଙ୍କ ପୁସ୍ତକ ଉନ୍ମୋଚନ ଉତ୍ସବ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ସହିତ ରହି ବିଜେପି କୁ ପ୍ରଶଂସା କରିବା ପରେ ବିଜେଡି ରେ ସୌମ୍ୟ ବାବୁ ଙ୍କୁ ନେଇ ପ୍ରଶ୍ନ ଉଠିଛି । ପୂର୍ବରୁ ସୌମ୍ୟ ବାବୁ ଓଡ଼ିଶାରେ ବିଜେପି ର ସାଙ୍ଗଠନିକ ଦାୟିତ୍ଵ ରେ ଥିଲେ । ଏପରିକି ପୁରୁଖା ରାଜନେତା ହିସାବରେ କେନ୍ଦ୍ର ରେ ସୁ ସମ୍ପର୍କ ଓ ବିଜେଡ଼ି ର କିଛି ବିଧାୟକ ସୌମ୍ୟ ବାବୁ ଙ୍କ ସହ ଗୁପ୍ତ ସମ୍ପର୍କ ରଖିଥିବା ଆଲୋଚନା ହେଉଛି । ଆଲୋଚନା ହୁଏ ଯେ ଏମାନଙ୍କ ଭିତରୁ ଆଗାମୀ ଦିନରେ କେହି ବି ଜଣେ ହୋଇ ପାରନ୍ତି ଓଡ଼ିଶାର ଏକନାଥ ସିନ୍ଧେ । ତେବେ ଆଗାମୀ ଭବିଷ୍ୟତ କହିବ ଏପରି ଆଲୋଚନା ର କେତେ ସତ୍ୟତା ରହିଛି ।

