Site icon Awaj Media

ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା : ବିଭିନ୍ନ ଶୈବପୀଠ ରେ ଭକ୍ତଙ୍କ ପ୍ରବଳ ଭିଡ଼ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା। ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ବିଶ୍ବାସ ରହିଛି ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ବାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳିଭିଷେକ କରନ୍ତି ଏହି ପବିତ୍ର ମାସରେ । ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ମନରେ ଅକୁଣ୍ଠ ଭକ୍ତିଭାବ ଓ ବିଶ୍ୱାସ ନେଇ ମହାଦେବଙ୍କ ନିକଟରେ ଜଳିଭିଷେକ କରିଛନ୍ତି କାଉଡ଼ିଆ । ରାଜ୍ୟର ବିଭିନ୍ନ ସ୍ଥାନ ଭଳି କନ୍ଧମାଳ ଜିଲ୍ଲା ବାଲିଗୁଡାରେ ମଧ୍ୟ ପ୍ରଥମ ସୋମବାରରେ ବିଭିନ୍ନ ଶୈବପୀଠରେ ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ ଶତାଧିକ କାଉଡ଼ିଆଙ୍କ ଭିଡ଼ ଲାଗିଛି । ସକାଳୁ ସକାଳୁ ବାଲିଗୁଡା ଖଡ଼ଗ ନଦୀ ଘାଟରେ ଶତାଧିକ କାଉଡ଼ିଆଙ୍କର ଭିଡ଼ ଜମିଥିଲା । ନଦୀ ରୁ ବାଲି ଆଣି ତୁଠରେ ବାଲୁକା ଲିଙ୍ଗ ସ୍ଥାପନା କରି ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ସଙ୍କଳ୍ପ ହୋଇ ଜଳ ନେଇ କାଉଡ଼ିଆ ମାନେ ବାହାରିଥିଲେ ଶିବାଳୟ ଅଭିମୁଖେ । ଗତ ଦୁଇ ବର୍ଷ ଧରି ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା । ଫଳରେ ସମସ୍ତ ଧର୍ମ ପୀଠ ଜନଶୂନ୍ୟ ହୋଇ ପଡ଼ିଥିଲା ଏବଂ ଭକ୍ତ ଶ୍ରଦ୍ଧାଳୁଙ୍କ ମନରେ ନିରାଶାଭାବ ଦେଖା ଦେଇଥିଲା । କିନ୍ତୁ ଚଳିତ ବର୍ଷ ଭଗବାନଙ୍କ କୃପାରୁ କଟକଣା କୋହଳ ହୋଇଥିବା ଯୋଗୁଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ପ୍ରଥମ ଶ୍ରାବଣ ସୋମବାରରେ ଶତାଧିକ କାଉଡ଼ିଆଙ୍କର ଭିଡ଼ ଦେଖିବାକୁ ମିଳିଛି ବାଲିଗୁଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠରେ । ପୂର୍ବରୁ ବାଲିଗୁଡା ଅଞ୍ଚଳରେ କମ୍ ଭକ୍ତ ଏହି ମାସିକ ଶ୍ରାବଣୀ ବ୍ରତ ପାଳୁଥିଲେ । କ୍ରମଶଃ ଭକ୍ତଙ୍କ ମନସ୍କାମନା ପୁରଣ ହେବା ସହ ମନରେ ଅଗାଢ଼ ଭକ୍ତି ନେଇ ଧିରେ ଧିରେ କାଉଡ଼ିଆଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି ଅଞ୍ଚଳରେ । ବାଲିଗୁଡା ସମେତ ଆଖପାଖ ଅଞ୍ଚଳର ହଜାର ହଜାର କାଉଡ଼ିଆ ବାଲିଗୁଡା ଖଡ଼ଗ ନଦୀ ଘାଟରେ ଏକାଠି ହୋଇ ଘାଟରୁ ଜଳ ନେଇ ମହାଦେବଙ୍କ ନିକଟରେ ଜଳଲାଗି କରିବା ପାଇଁ ବାହାରିଥାନ୍ତି । ପ୍ରଥମ ସୋମବାରରୁ ବାଲିଗୁଡାରେ କାଉଡ଼ିଆଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ଶ୍ରାବଣ ମାସରେ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୂଣ୍ୟ ମିଳେ । ଏହି ବିଶ୍ବାସ ନେଇ ଦୁର ଦୁରାନ୍ତରୁ କାଉଡ଼ିଆ ଜଳନେଇ ମହାଦେବଙ୍କ ନିକଟରେ ଜଳଲାଗି କରିବାପାଇଁ ବାହାରିଛନ୍ତି ଶିବାଳୟ ଅଭିମୁଖେ ।

Exit mobile version