ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ . ଦେଶର ସର୍ବୋଚ୍ଚ ନ୍ୟାୟାଳୟରୁ ଜାମିନ ମିଳିଥିବା ନେଇ ଆଇନଜୀବୀ ମାନସ ଚାନ୍ଦ ସୂଚନା ଦେଇଛନ୍ତି . ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ . ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମୁଖରେ ପୋଲିସ ଓ ଜନସାଧାରଣଙ୍କ ଉପରେ ଗାଡ଼ି ଚଢ଼ାଇଥିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦୀର୍ଘ ମାସ ହେବ ବାଣପୁର ସବ ଜେଲରେ ରହିବା ପରେ ଏବେ ମିଳିଛି ସାମାନ୍ୟ ଆଶ୍ବସ୍ତି । ଉଚ୍ଚ ନ୍ୟାୟାଳୟ ତାଙ୍କ ଜାମିନ ଆବେଦନକୁ ଆଗ୍ରାହ୍ୟ କରିବା ପରେ ଜାମିନ ପାଇଁ ଦେଶର ସର୍ବୋଚ୍ଚ ରେ ଆବେଦନ କରିଥିଲେ । ଆଜି ମାନ୍ୟବର ଅଦାଲତ ଚିଲିକା ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି କରି ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ପୂର୍ବରୁ ୧୮ ତାରିଖ ଦିନ ପୋଲିସ ଉକ୍ତ ମାମଲାର ଚାର୍ଜସିଟ ଦାଖଲ କରିଛି । ତଦନ୍ତକାରୀ ଅଧିକାରୀ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ବାଣପୁର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ଦାଖଲ ହୋଇଥିବା ଚାର୍ଜସିଟରେ ପୋଲିସ ଆଉ ତିନି ଗୋଟି ଦଫା ଯୋଡ଼ିଥିଲା । ବିଧାୟକଙ୍କ ବିରୋଧରେ ଆଇପିସି ର ଦଫା ୪୬୫, ୪୭୧ ଏବଂ ଏମଭି ଆକ୍ଟ ଦଫା ୧୮୧ ଲାଗିଛି । ଉକ୍ତ ଦଫା ଅନୁଯାୟୀ, ବିଧାୟକଙ୍କ ବିରୋଧରେ ନକଲି ଗାଡ଼ି ନମ୍ବର ପ୍ଲେଟ ନିମନ୍ତେ ଜାଲିଆତି ଦଫା ଯୋଡି ହେବା ସହ ଗାଡ଼ି ଚଲାଉଥିବା ବେଳେ ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ମୋଟର ଯାନ ଦଫା ମଧ୍ୟ ଲାଗିଛି । ତେବେ ଜାମିନ ମଞ୍ଜୁର ହୋଇଥିଲେ ସୁଦ୍ଧା ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯାଇ ପାରିବେ ନାହିଁ ବୋଲି ମାନ୍ୟବର ଅଦାଲତ ଆଦେଶ ଦେଇଛନ୍ତି .

Leave a Reply

Your email address will not be published. Required fields are marked *